Latest Odisha News

BREAKING NEWS

ଗରମ ତାୱାରେ ଜଳିବ ଓଡ଼ିଶା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଜଳୁଛି ଓଡ଼ିଶା। ପଶ୍ଚିମରେ ଅସମ୍ଭାଳ ତାତି। ୪୦ ଡିଗ୍ରୀ ଉପରେ ୮ ସହର। ଗତକାଲି ୪୧.୭ ଡିଗ୍ରୀ ସହିତ ରାଜ୍ୟର ସବୁଠୁ ତତଲା ସହର ପାଲଟିଥିଲା ଟିଟିଲାଗଡ଼। ରାଜ୍ୟରେ ଆହୁରି ବଢିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ଆସନ୍ତା ୬ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗିରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ। କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ଟପିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି। ବିଶେଷକରି ଉପକୂଳ ଓ ପଶ୍ଚିମ ଓଡ଼ିଶାର ଲୋକେ ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ।

ପ୍ରବଳ ଗରମ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଗୁରୁବାର ସମ୍ପୃକ୍ତ ଜିଲ୍ଲା ବ୍ୟତୀତ ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୋନପୁରକୁ ହିଟ୍‌ ୱାଭ ଜାରି କରାଯାଇଛି।

ଶୁକ୍ରବାରଠାରୁ ସୋମବାର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଘଡଘଡି ବିଜୁଳି ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୮ଟି ସ୍ଥାନର ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ସେହିପରି ଗତ କିଛିଦିନ ହେବ ଲଗାତର ଭାବେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ରେକର୍ଡ ହେଉଛି।

Comments are closed.