ଭୁବନେଶ୍ବର: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ଅତିପ୍ରିୟ ପଖାଳ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଘିଅ ପଖାଳ, ଦହି ପଖାଳ ଆଦି ଲାଗି ହୋଇଥାଏ । ତେବେ ଆଜି ପଖାଳ ଦିବସ ଅବସରରେ ସମଗ୍ର ରାଜ୍ୟ ପଖାଳ ଖାଇ ପାଳୁଛି ପଖାଳ ଦିବସ । ଏହି ଅବସରରେ ବିଧାନସଭାରେ ପଖାଳ ଦିବସ ପାଳିତ ହୋଇଛି ।
ପଖାଳ ଖାଇ ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଅନ୍ୟ ବିଧାୟକ ମାନେ ପଖାଳ ଖାଇଥିଲେ ।
ମୁଖ୍ୟମନ୍ତ୍ରୀ ଏକ୍ସରେ ପଖାଳ ଖାଇବାର ଭିଡିଓ ଏବଂ ଫଟୋ ଶେୟାର କରିଛନ୍ତି । ସେ ପୋଷ୍ଟ ରେ ଲେଖିଛନ୍ତି ଯେ, ପଖାଳ ଶରୀର ଓ ମନ ପାଇଁ ପ୍ରକୃତରେ ଖୁବ ଶାନ୍ତିଦାୟକ । ଆମ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ପାଇଁ ପଖାଳ ଖୁବ ଉପକାରୀ, ତେଣୁ ଆମ ଓଡ଼ିଆ ମାନଙ୍କର ପଖାଳ ସହିତ ନିବିଡ଼ ସମ୍ପର୍କ କେଉଁ ଅନାଦି କାଳରୁ ରହି ଆସିଛି ।
ପଖାଳ ହେଉଛି ଆମ ଓଡ଼ିଆମାନଙ୍କର ସବୁଠାରୁ ପ୍ରିୟ ଖାଦ୍ୟ । ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆମ ଆତ୍ମା । ପଖାଳ ଦିବସ ଅବସରରେ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ସମସ୍ତେ ମିଶି ଆମ ପାରମ୍ପରିକ ଖାଦ୍ୟ ପଖାଳର ଆନନ୍ଦ ନେବା ଓଡ଼ିଆତ୍ୱର ଏକ ସ୍ୱତନ୍ତ୍ର ଅନୁଭବ ।
ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ । ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ଭୋଗ ଲାଗିଥାଏ । ପ୍ରକୃତରେ ଆମ ଓଡ଼ିଆ ପ୍ରାଣ ଏଇ ପଖାଳକୁ ନେଇ ଯୁଗଯୁଗ ଧରି ଆମ ଇତିହାସ ଓ ସାମାଜିକ ସହାବସ୍ଥାନ ସହ ଏକାକାର ହେଇଯାଇଛି । ମନ ନିର୍ମଳ ଓ ହୃଦୟ ଗଙ୍ଗାର ଆବେଗ ନେଇ ଆଗେଇ ଚାଲିଥିବା ଆମ ଓଡ଼ିଆ ଜାତି ପଖାଳକୁ ନେଇ ଗର୍ବିତ ହେବା ସହ ଓଡ଼ିଆତ୍ୱର ପରାକାଷ୍ଠା ଆଗକୁ ପ୍ରତିପାଦନ କରିପାରିବ, ଏ ବିଶ୍ୱାସ ଅଛି ଓ ରହିବ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।
ପଖାଳ ଶରୀର ଓ ମନ ପାଇଁ ପ୍ରକୃତରେ ଖୁବ ଶାନ୍ତିଦାୟକ। ଆମ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ପାଇଁ ପଖାଳ ଖୁବ ଉପକାରୀ, ତେଣୁ ଆମ ଓଡ଼ିଆ ମାନଙ୍କର ପଖାଳ ସହିତ ନିବିଡ଼ ସମ୍ପର୍କ କେଉଁ ଅନାଦି କାଳରୁ ରହି ଆସିଛି। pic.twitter.com/76fu0ZdMT8
— Mohan Charan Majhi (@MohanMOdisha) March 20, 2025