Latest Odisha News

BREAKING NEWS

ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ପରଲୋକରେ ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ସୋମବର ଚିକିତ୍ସାଧୀନ ଅବସ୍ଥାରେ ଚେନ୍ନାଇ ସ୍ଥିତ ଘରୋଇ ହସ୍ପିଟାଲରେ ସେ ଆଜି ଆଖି ବୁଝିଛନ୍ତି ।

ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଢୋଲକିଆଙ୍କୁ ଚେନ୍ନାଇ ନିଆ ଯାଇଥିଲା । ଚେନ୍ନାଇ ସ୍ଥିତ MGM ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ହେଲେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ସୋମବାର ତାଙ୍କର ମୃତ୍ୟୁ ହୋଇଛି ।

ନୂଆପଡ଼ା ବିଧାୟକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସ ରେ ପଷ୍ଟ କରି ସେ ଲେଖିଛନ୍ତି ଯେ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିୟାଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

ମୁଖ୍ୟମନ୍ତ୍ରୀଙ୍କ ସମେତ, ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଅନ୍ୟ ନେତା ମନ୍ତ୍ରୀ ମାନେ ଏକ୍ସ ରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ।

୧୯୫୬ ମସିହାର ନଭେମ୍ବର ୨୦ ତାରିଖରେ ରାଜେନ୍ଦ୍ର ଢୋଲକିଆଙ୍କ ଜନ୍ମ । ନୂଆପଡ଼ା ବିଧାନସଭା ଆସନରୁ ୨୦୦୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ନିର୍ବାଚିତ ହୋଇଥିଲେ ଢୋଲକିଆ । ଏହାପରେ ୨୦୦୯ରେ ସେ ପୁଣିଥରେ ବିଜେଡି ପ୍ରାର୍ଥୀ ହୋଇ ପୁଣି ବିଜୟ ଲାଭ କରିଥିଲେ । ହେଲେ ୨୦୧୪ରେ କିନ୍ତୁ ପରାଜୟର ସ୍ବାଦ ଚାଖି, ପୁଣି ୨୦୧୯ରେ ବିଜେଡି ଟିକେଟରେ ନିର୍ବାଚିତ ହୋଇ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ ରାଜେନ୍ଦ୍ର ।

ନବୀନଙ୍କ ୫ମ ପାଳିରେ ମନ୍ତ୍ରିମଣ୍ଡଳରେ ନୂଆପଡାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ କ୍ୟାବିନେଟରେ ସାମିଲ କରାଯାଇଥିଲା । ନୂଆପଡାରୁ ଲଗାତର ବିଧାନସଭାକୁ ପ୍ରତିନିଧିତ୍ୱ କରିଛନ୍ତି ରାଜେନ୍ଦ୍ର । ୨୦୨୪ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ନୂଆପଡ଼ା ସମେତ ରାଜନୀତି ମାହୋଲରେ ଶୋକର ଛାୟା ଖେଳିଯାଇଛି ।

Comments are closed.