Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ, ୫ କୋଟି ଟଙ୍କା ପୁରସ୍କାର ଦେଲେ

ଭୁବନେଶ୍ୱର: ଜାକର୍ତ୍ତା ଏସିଆଡ଼ରେ ଭାରତୀୟ ହକି ଦଳରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ସମ୍ପର୍ଦ୍ଧିତ କରି ମୋଟ ୬ ଜଣ ଖେଳାଳିଙ୍କୁ ୫କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ।

ରୌପ୍ୟ ପଦକ ବିଜେତା ମହିଳା ଟିମର ୪ଜଣ ଓଡ଼ିଆ ଖେଳାଳିଙ୍କୁ ପ୍ରତ୍ୟେକ ୧ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ବ୍ରୋଞ୍ଜ ପଦକ ଜିତିଥିବା ୨ଜଣ ଓଡ଼ିଆ ଖେଳାଳିଙ୍କୁ ପ୍ରତ୍ୟେକ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖେଳାଳିମାନଙ୍କ ଉଲ୍ଲେଖନୀୟ କୃତୀତ୍ୱକୁ ପ୍ରଶଂସା କରି ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ପାଇଁ ଦେଶ ଓ ରାଜ୍ୟବାସୀ ଗର୍ବିତ ବୋଲି କହିଥିଲେ । ଭବିଷ୍ୟତରେ ସେମାନଙ୍କୁ ଆବଶ୍ୟକୀୟ ସହାୟତା ରାଜ୍ୟ ସରକାର ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କୋଟିଏ ଟଙ୍କା ଲେଖାଏଁ ପୁରସ୍କାର ରାଶି ପାଇଥିବା ମହିଳା ଖେଳାଳିମାନେ ହେଲେ – ସୁନିତା ଲାକ୍ରା, ଲିଲିମା ମିଞ୍ଜ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ । ସେହିପରି ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପାଇଥିବା ୨ଜଣ ଓଡ଼ିଆ ଖେଳାଳି ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ।

ସୂଚନାଯୋଗ୍ୟ ଯେ, ୨୦୧୭ ବର୍ଷ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ପାଇଥିବା ଖେଳାଳି ସୁନିତା ଲାକ୍ରା ଓ ଅମିତ ରୋହିଦାସ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବେଳେ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ଆଜି ସେହି ପୁରସ୍କାର ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଉଭୟ ଖେଳାଳିଙ୍କୁ ପ୍ଲେୟାର୍ ଅଫ ଦ ଇୟର – ୨୦୧୭ ଟ୍ରଫି, ମାନପତ୍ର ସହିତ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ । ଏସିଆଡ଼ରେ ଆଥଲେଟିକ୍ସରେ ଭାଗ ନେଇଥିବା ଖେଳାଳି ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ସାଢେ ୭ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କ୍ରୀଡ଼ା ଓ ଯୁବସେବା ସଚିବ ଏବଂ କ୍ରୀଡ଼ା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.