Latest Odisha News

BREAKING NEWS

ଏଣିକି ଦୈନିକ ଚାଲିବ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରୁ ଗୁଜୁରାଟର ଉଧନା (ସୁରଟ) ପର୍ଯ୍ୟନ୍ତ ଚାଲୁଥିବା ସାପ୍ତାହିକ ଅମୃତ ଭାରତ ଏକ୍ସପ୍ରେସ ଏଣିକି ପ୍ରତିଦିନ ଚଳାଚଳ କରିବ । ଆଜି ବ୍ରହ୍ମପୁର ରେଳ ଷ୍ଟେସନ ପ୍ଲାଟଫର୍ମରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ସମଗ୍ର ରାଜ୍ୟବାସୀ, ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏହାକୁ ଓଡ଼ିଶାର ବିକାଶ ଲାଗି ଏକ ଐତିହାସିକ ଦିନ ବୋଲି ପ୍ରକାଶ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଭିତ୍ତିଭୂମି ଓ ଅର୍ଥନୈତିକ ପ୍ରଗତି ଉପରେ ଆଲୋକପାତ କରି କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ୩.୧୧ ଲକ୍ଷ କୋଟି ଟଙ୍କାର ୧୨ଟି ଶିଳ୍ପ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି, ଯାହା ଦ୍ୱାରା ୨.୫୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ସହ ଆଗାମୀ ଦିନରେ ବାହୁଦା ଠାରେ ଏକ ବୃହତ୍ ବନ୍ଦର ସ୍ଥାପନ କରାଯିବ । ବ୍ରହ୍ମପୁର ସହରକୁ ‘ଗ୍ରେଟର ବ୍ରହ୍ମପୁର ସିଟି’ ଭାବେ ବିକଶିତ କରିବା ସହ ବ୍ରହ୍ମପୁର-ଜୟପୁରକୁ ସଂଯୋଗ କରୁଥିବା ଏକ ୬-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ଅତୀତରେ ସୁରଟ ଠାରେ ଗୋଟିଏ ସଭାରେ ଯୋଗଦେଇଥିବା ଅବସରରେ ସୁରଟ ରୁ ବ୍ରହ୍ମପୁର ଯାଏ ନିୟମିତ ରେଳ ଚଳାଚଳ ପାଇ ଯେଉଁ ଅନୁରୋଧ କରାଯାଇଥିଲା, ଆଜି ତାହା ପୂରଣ କରାଯାଇଛି । ଆଜି ସମୟରେ ଯେଉଁ latest Technology ର ଟ୍ରେନ୍ ଅମୃତ ଭାରତ ଏକ୍ସପ୍ରେସ ବର୍ତ୍ତମାନ୍ ଠାରୁ ପ୍ରତିଦିନ ବ୍ରହ୍ମପୁରରୁ ସୁରଟ ଅଭିମୁଖେ ଚଳାଚଳ କରିବ । ସେ ଆହୁରି ଘୋଷଣା କରିଥିଲେ ଯେ ବ୍ରହ୍ମପୁର ରେଳ ଷ୍ଟେସନ କୁ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ କରିବା ପାଇ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଏହାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ।

ଏହି ଶୁଭାରମ୍ଭ ଉତ୍ସବରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁରର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କାର ସାଂସଦ ଅନିତା ଶୁଭଦର୍ଶିନୀ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକଗଣ, ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ପୂର୍ବ ତଟ ରେଳପଥ ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.