Latest Odisha News

BREAKING NEWS

Assam Rifles convoy ambushed:ଆସାମ ରାଇଫଲ୍ସର କନଭୟ ଉପରେ ଉଗ୍ରବାଦୀ ଆକ୍ରମଣ; IED ବିସ୍ଫୋରଣରେ ୨ଯବାନ ସହିଦ

ଇମ୍ଫାଲ:ସୋମବାର ଦିନ ମଣିପୁରର ଉଖରୁଲ ଜିଲ୍ଲାରେ ଉଗ୍ରବାଦୀମାନେ ଆସାମ ରାଇଫଲ୍ସର ଏକ କନଭୟ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୪୦ ଆସାମ ରାଇଫଲ୍ସର ଦୁଇ ଜଣ ଯବାନ ସହିଦ ହୋଇଥିବା ସୂଚନା ରହିଛି । ଏହା ପରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳରେ ଏକ ବ୍ୟାପକ ସର୍ଚ୍ଚ ଅଭିଯାନ ଆରମ୍ଭ କରିଛି।
ସୂଚନାଥାଉକି, ସହିଦ ଯବାନ ହେଲେ ୱାରେଣ୍ଟ ଅଫିସର ବଲୱନ୍ତ ସିଂହ ଏବଂ ରାଇଫଲମ୍ୟାନ ସିଏମ ସିଂହ । ଅଧିକାରୀମାନେ କହିଛନ୍ତି ଯେ ଏହି ଆକ୍ରମଣରେ ସେମାନେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ସହିଦ ହୋଇଛନ୍ତି ।

ସୂଚନା ଅନୁଯାୟୀ ଆକ୍ରମଣଟି ଉଖରୁଲ ଜିଲ୍ଲାର ଶାଂଗଶାକ ନିକଟବର୍ତ୍ତୀ ନୁଙ୍ଗଶାଙ୍ଗ କଙ୍ଗ ଗାଁ ନିକଟରେ ହୋଇଥିଲା।

ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ସେହି ସମୟରେ ୪୦ ଆସାମ ରାଇଫଲ୍ସର ଏକ କନଭୟ ନିଜ ଶିବିରରୁ ଏକ ପୋଲିସ ଷ୍ଟେସନ ଆଡକୁ ଯାଉଥିଲା। ସନ୍ଦିଗ୍ଧ ଆତଙ୍କବାଦୀମାନେ କନଭୟ ଯିବା ରାସ୍ତାରେ ଥିବା ଏକ ସେତୁର ଉଭୟ ପାର୍ଶ୍ୱରେ ତିନୋଟି ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED) ରଖିଥିଲେ। କନଭୟ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଦୁଇଟି ବିସ୍ଫୋରଣ ହୋଇଥିଲା। ଏହା ପରେ ତୁରନ୍ତ ବିଭିନ୍ନ ଦିଗରୁ ପ୍ରବଳ ଗୁଳିବର୍ଷା ହୋଇଥିଲା। ଏହି ଆକ୍ରମଣଟି ସୁନିଶ୍ଚିତ ଭାବରେ ଯୋଜନାବଦ୍ଧ ଏବଂ ସମନ୍ୱିତ ଥିଲା। ଏହା ପରେ, ଆସାମ ରାଇଫଲ୍ସ ଯବାନମାନେ ତୁରନ୍ତ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଦୁଇ ପକ୍ଷ ମଧ୍ୟରେ ଏକ ଭୀଷଣ ଗୁଳିବିନିମୟ ଆରମ୍ଭ ହେଲା, ଯାହା ପ୍ରାୟ ଏକ ଘଣ୍ଟା ଧରି ଚାଲିଲା। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳରେ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ । ଏହି ସର୍ଚ୍ଚ ଅଭିଯାନ ସମୟରେ ଏକ IED ମଧ୍ୟ ଉଦ୍ଧାର କରାଯାଇଥିଲା ଏବଂ ସୁରକ୍ଷିତ ଭାବେ ନିଷ୍କ୍ରିୟ କରାଯାଇଥିଲା।

ଅଧିକାରୀମାନେ କହିଛନ୍ତି ଯେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ଏବଂ ତଦନ୍ତ ଚାଲିଛି। ବର୍ତ୍ତମାନ ସୁଦ୍ଧା ଆକ୍ରମଣ କରିଥିବା କୌଣସି ଉଗ୍ରବାଦୀ ସଂଗଠନର ନାମ ସାମ୍ନାକୁ ଆସିନାହିଁ।

ମଣିପୁର ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚନ୍ଦ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସହିଦ ଯବାନଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରି ସେ କହିଛନ୍ତି ଯେ ସରକାର ଏପରି ହିଂସା ଘଟଣାକୁ କୌଣସି ମୂଲ୍ୟରେ ସହ୍ୟ କରିବ ନାହିଁ। ସେ ଆଶ୍ୱାସନା ଦେଇଛନ୍ତି ଯେ ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରି ଗିରଫ କରାଯିବ। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.