Latest Odisha News

‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ: ପ୍ରତି ଗାଁକୁ ମିଳିବ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ଗାଁରେ ମିଳିବ ଇଣ୍ଟରନେଟ୍‌ ସଂଯୋଗ ।  ହେବ ବିଜ୍ଞାନ ପାର୍କ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା ବି  ମିଳିବ। ହସିବ ଗାଁ ।  ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’।
ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଉଦଘାଟନ କରିଛନ୍ତି ।  ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ସାମିଲ ହେବେ ରାଜ୍ୟର ୬୭୯୪ଟି ପଞ୍ଚାୟତ  । ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ୯୦୭୨୩ଟି ପ୍ରକଳ୍ପ। ପ୍ରତି ଗାଁ ପାଇବେ ୧୦ ଲକ୍ଷ ଟଙ୍କା ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଯୋଜନା ଦ୍ୱାରା ଆମର ଯୁବ ସମାଜ ପାଇଁ, ମା ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରତ୍ୟେକ ଜିଲ୍ଲାର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜନପ୍ରତିନିଧି   ଯଥା ବିଧାୟକଗଣ, ଜିଲ୍ଲା ପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ପର୍ବର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଯୋଗୁ ଗରିବ ଓ ଅବହେଳିତ ଲୋକମାନଙ୍କ ମୁହଁରେ ଆଜି ହସ ଫୁଟିଛି ବୋଲି ସେମାନେ କହିଥିଲେ । 5T ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ ।
କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
Leave A Reply

Your email address will not be published.