Latest Odisha News

BREAKING NEWS

ନୂଆପଡ଼ାରେ ଭର୍ଚ୍ୟୁଆଲରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ,୪୮୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

ନୂଆପଡ଼ା :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି। ଭର୍ଚ୍ୟୁଆଲ୍ ମାଧ୍ୟମରେ ସଦର ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରାୟ ୧ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ୪୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।ଏହି ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ରାଜ୍ୟରେ ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ।

ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଲ ପିଇବା ପାଣି ହେଉଛି ନୂଆପଡାର ଗୋଟିଏ ବଡ ସମସ୍ୟା । ତାକୁ ଦୂର କରିବା ପାଇଁ ଜିଲ୍ଲାର ସବୁ ବ୍ଲକ୍‌, ସବୁ ଗାଁ ଓ ସବୁ ପଡାକୁ ପାଇପ ପାଣି ଯୋଗାଇ ଦେବା ପାଇଁ କାମ ଜାରି ରହିଛି ବୋଲି କହିଥିଲେ । ନୂଆପଡା ଓ କୋମନା ପାଇଁ ଦୁଇଟି ମେଗା ପାଇପ ପାଣି ଯୋଜନା ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ଖରିଆର ବିଧାୟକଙ୍କ ଅନୁରୋଧରେ ଖରିଆରର ଇଭାନ୍‌ଜେଲିକାଲ ହସ୍‌ପିଟାଲକୁ BSKY ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାଦ୍ୱାରା ଜିଲ୍ଲାର ଲୋକମାନେ ଏହି ହସ୍ପିଟାଲରେ ସ୍ମାର୍ଟ କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇପାରିବେ ।ନୂଆପଡାର ଚାଷୀ ମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ନୂଆପଡା ନୂଆ ପରିଚୟ ନେଇ ଆଗକୁ ବଢୁଛି । ଚାଷୀ ମାନଙ୍କର ରୋଜଗାର ବଢିବା ସହିତ ଲାଭ ମଧ୍ୟ ହେଉଛି। ତେଣୁ ମୋର ଅନୁରୋଧ, ଆପଣମାନେ ସରକାରଙ୍କ ବିଭିନ୍ନ ୟୋଜନାର ସୁଯୋଗ ନିଅନ୍ତୁ ଓ ନିଜର ଉନ୍ନତି କରନ୍ତୁ ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ, ନୂଆପଡା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଓ ଖରିଆର ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ନୂଆପଡାର ବିକାଶ ଉପରେ ଆଲୋକପାତ କରିଥିଲେ।

Leave A Reply

Your email address will not be published.