ଗଞ୍ଜାମ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଏସ୍ଇଜେଡ୍ଏଲ୍)ର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ (ଜିଆଇପି) ୫ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ” ଶିଳ୍ପ କ୍ଷେତ୍ରରେ ଗଞ୍ଜାମ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି। ଭିତ୍ତିଭୂମିର ସୁବିଧା, ଏକ ଅଗ୍ରଣୀ ବନ୍ଦରର ଉପସ୍ଥିତି ଏବଂ ଦକ୍ଷ ମାନବ ସମ୍ବଳ ଯୋଗୁଁ ଗଞ୍ଜାମରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ନିବେଶକ ମାନଙ୍କର ଆଗ୍ରହ ରହିଛି।”
ମାନ୍ୟବର ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ଗ୍ରୀନ ହାଇଡ୍ରୋଜେନ୍, କେମିକାଲ୍ସ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସହିତ ଗଞ୍ଜାମ ଜିଲ୍ଲା ଏବେ ଶିଳ୍ପାୟନ କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସୃଷ୍ଟି କରିବାକୁ ଯାଉଛି।”
ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ଶିଳ୍ପଗୁଡ଼ିକ ହେଲା:
– ଏଚଏଚପି ଫାଇଭ୍ (ହାଇଜେନକୋ): ଗ୍ରୀନ୍ ହାଇଡ୍ରୋଜେନ୍/ଆମୋନିଆ ଉତ୍ପାଦନ ପାଇଁ ୪,୦୦୦ କୋଟି ଟଙ୍କା ନିବେଶ
– ଓକିଅର ଏନର୍ଜି: ଗ୍ରୀନ୍ ହାଇଡ୍ରୋଜେନ୍/ଆମୋନିଆ ଉତ୍ପାଦନ ପାଇଁ ୭,୨୦୦ କୋଟି ଟଙ୍କା ନିବେଶ
– ସାତ୍ୱିକ ସୋଲାର୍ ଇଣ୍ଡଷ୍ଟ୍ରିଜ୍: ସୋଲାର୍ ସେଲ୍ ଏବଂ ମଡ୍ୟୁଲ୍ ଉତ୍ପାଦନ ପାଇଁ ୩,୦୦୦ କୋଟି ଟଙ୍କା ନିବେଶ
– ୱାର୍ଲ୍ଡ ଗ୍ରୀନ୍ ଏନର୍ଜି: ସୋଲାର୍ ସେଲ୍ ଏବଂ ମଡ୍ୟୁଲ୍ ଉତ୍ପାଦନ ପାଇଁ ୨,୫୦୦ କୋଟି ଟଙ୍କା ନିବେଶ
– ସୁପରଫର୍ମ କେମିଷ୍ଟ୍ରିଜ୍ (ୟୁପିଏଲ): ସ୍ପେସିଆଲିଟି କେମିକାଲ୍ ଉତ୍ପାଦନ ପାଇଁ ୪,୦୦୧ କୋଟି ଟଙ୍କା ନିବେଶ
ଶିଳ୍ପ ପାର୍କରେ ଉତ୍ପାଦିତ ଗ୍ରୀନ୍ ହାଇଡ୍ରୋଜେନ୍/ଆମୋନିଆ କୁ ମୁଖ୍ୟତଃ ରପ୍ତାନୀ କରାଯିବ। ଏହି ସମ୍ପ୍ରସାରଣ ଦ୍ଵାରା ଗୋପାଳପୁର ଶିଳ୍ପ ପାର୍କରେ ଗ୍ରୀନ୍ ହାଇଡ୍ରୋଜେନ୍/ଆମୋନିଆ ଶିଳ୍ପ ସଂଖ୍ୟା ୪ରେ ପହଞ୍ଚିଛି ଏବଂ ଏହା ଜିଆଇପିକୁ ଦେଶର ସବୁଠାରୁ ବଡ଼ ଗ୍ରୀନ୍ ହାଇଡ୍ରୋଜେନ୍/ଆମୋନିଆ ହବ୍ ଭାବରେ ଗଢ଼ି ତୋଳିଛି।
ସୋଲାର୍ ସେଲ୍ ଏବଂ ମଡ୍ୟୁଲ୍ ଉତ୍ପାଦନକାରୀଙ୍କ ମଧ୍ୟରେ, ସାତ୍ୱିକ ସୋଲାର୍ ଇଣ୍ଡଷ୍ଟ୍ରିଜ୍ ୪.୮୦ ଗିଗାୱାଟ ସମନ୍ୱିତ ସେଲ୍ ଏବଂ ୪.୦୦ ଗିଗାୱାଟ ମଡ୍ୟୁଲ୍ ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛି। ସେହିପରି ୱାର୍ଲ୍ଡ ଗ୍ରୀନ୍ ଏନର୍ଜି ୨.୦୦ ଗିଗାୱାଟ ସେଲ୍ ଏବଂ ୧.୨୦ ଗିଗାୱାଟ ମଡ୍ୟୁଲ୍ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି।
ଟିଏସ୍ଏସ୍ଇଜେଡ୍ଏଲର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ କହିଛନ୍ତି ଯେ, “ଶିଳ୍ପ ପାର୍କ ପାଇଁ ଏକାସାଙ୍ଗରେ ୫ଟି ଆଧୁନିକ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଆମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ। ଏହା ନବସୃଜନ ତଥା ଦୀର୍ଘମିଆଦୀ ନିବେଶକୁ ପ୍ରୋତ୍ସାହନ ଲକ୍ଷ୍ୟରେ ଜିଆଇପିରେ ପ୍ରଦାନ କରାଯାଉଥିବା ଶିଳ୍ପ ଅନୁକୂଳ ସୁବିଧା ଏବଂ ପରିବେଶକୁ ପ୍ରତିଫଳିତ କରୁଛି। ଆମ ଟିମ୍ ର ସମ୍ମିଳିତ ପ୍ରୟାସ, ସୁଦୃଢ଼ ଶିଳ୍ପ ସହଭାଗିତା ଏବଂ ଓଡ଼ିଶା ସରକାରଙ୍କ ନିରନ୍ତର ସହଯୋଗ ହିଁ ଏହି ସଫଳତା ଆଣି ଦେଇଛି। ମୁଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମ ଶିଳ୍ପ ପାର୍କରେ ତାଙ୍କର ଉପସ୍ଥିତି ଏବଂ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଉଛି।”
ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ୍ ଜୋନ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ ଉପସ୍ଥିତ ଥିଲେ।
Comments are closed.