Latest Odisha News

ମିଲେଟ୍ ମିଶନ୍: ମା’ମାନଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାଣ୍ଡିଆକୁ ପ୍ରୋତ୍ସାହିତ କରିବାକୁ ସମସ୍ତ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ରାଜ୍ୟ କୃଷି ବିଭାଗ ପକ୍ଷରୁ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବା ସହିତ ଓଡିଶାର ମା’ମାନଙ୍କୁ ମାଣ୍ଡିଆର ବହୁଳ ବ୍ୟବହାର ପାଇଁ ଆହ୍ବାନ ଦେଇଛନ୍ତି ।

ତେବେ କୃଷି ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପଦକ୍ଷେପ “ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ”ରେ ଖାଦ୍ୟ ନିରାପତ୍ତା ତଥା ଚିରନ୍ତନ କୃଷି ପଦ୍ଧତି ଏବଂ ବିସ୍ମୃତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହନ ଦିଆଯାଉଛି। ଏଥିପାଇଁ ଓଡିଶାର ମା’ମାନଙ୍କୁ ଏଥର ମାଣବସାରେ ମାଣ୍ଡିଆ ପ୍ରସ୍ତୁତ ଭୋଗ ଲଗାଇବା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମାର୍ଗଶୀର ମାଣବସା ଗୁରୁବାରରେ ମା’ ଲକ୍ଷ୍ମୀଙ୍କ ପାଖରେ ମାଣ୍ଡିଆ ଅର୍ପଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଦିମ କାଳରୁ, ପୁଷ୍ଟିଶସ୍ୟ ଓ ଏହାର ଚାଷ ପ୍ରଣାଳୀ ଆମ ଆଦିବାସୀ ଜନଜାତି ସମ୍ପ୍ରଦାୟଙ୍କ କୃଷି ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି । ପୁଷ୍ଟିଶସ୍ୟର ପ୍ରାଚୀନତା ଏବଂ ଭାରତୀୟ ସଂସ୍କୃତି ଓ ଐତିହ୍ୟ ସହିତ ଏହାର ନିବିଡତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମିଲେଟ୍ ବା ପୁଷ୍ଟିଶସ୍ୟକୁ “ଶ୍ରୀ ଅନ୍ନ” ନାମରେ ପୁନଃନାମିତ କରିଛନ୍ତି । ପୁନପ୍ରଚଳିତ କୃଷି ପ୍ରଣାଳୀ ମାଧ୍ୟମରେ ବିସ୍ମୃତ ଖାଦ୍ୟ ଓ ଶସ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ପୋଷକତତ୍ତ୍ଵରେ ଭରପୁର ଏହି ଫସଲ କେବଳ ଆମ ଖାଦ୍ୟ ସଂସ୍କୃତିକୁ ସଂରକ୍ଷିତ କରି ରଖିବାରେ ନୁହେଁ, ବରଂ ଆମ ଚାଷୀ ଭାଇଭଉଣୀଙ୍କ ରୋଜଗାର ବୃଦ୍ଧି ଓ ସ୍ଵାସ୍ଥ୍ୟ ଉପକାରିତାରେ ଏହା ସହାୟକ ହୋଇପାରିବ। ତେଣୁ ଆମେ ସମସ୍ତେ ମିଳିମିଶି ଏହାର ବ୍ୟବହାର ବଢାଇବା ସହିତ ଏହାର ପ୍ରଚାର ପ୍ରସାର ମଧ୍ୟ କରିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.