Latest Odisha News

ମମତାଙ୍କ ‘ଇସ୍ତଫା ପ୍ରସ୍ତାବ’ ଇମୋସନାଲ ଚାପ ନୁହେଁ ତ?

କୋଲକାତା: ଆରଜି କର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁର୍ବଳ ହୋଇପଡିଛନ୍ତି କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସତରେ ସେ କ’ଣ ଅସହାୟ ହୋଇପଡିଛନ୍ତି ? ସବୁବେଳେ ସବୁ ପ୍ରସଙ୍ଗରେ ଲଢୁଆ ଆଭିମୁଖ୍ୟ ଗ୍ରହଣ କରୁଥିବା ମମତା ବାନାର୍ଜୀ ଏବେ ନରମ ପଡିଥିବା ଲାଗୁଛି । ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ବ୍ୟାପକ ଜନ ଆକ୍ରୋଶ ସହ ନିଜ ଦଳରୁ ହିଁ ବିରୋଧ ଓ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ମମତା ବାନାର୍ଜୀଙ୍କୁ ବ୍ୟାକଫୁଟକୁ ଠେଲିଦେଇଛି । ଏମିତି ନ ହୋଇଥିଲେ ମମତା ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିନଥାଆନ୍ତେ ।

ଆଗରୁ ଦେଖିବାକୁ ମିଳିନଥିଲା ମମତାଙ୍କ ଭାବୁକ ଅନ୍ଦାଜ

ଆରଜି କର ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବେଳା ଖରାପ ପଡିଛି । ଏହି ଘଟଣା ପରେ ମମତା ବାନାର୍ଜୀ ନରମ ପଡିଥିବା ମନେହେଉଛି । ଆଗର ଭଳି ଲଢୁଆ ଆଭିମୁଖ୍ୟ ଆଉ ଦେଖିବାକୁ ମିଳୁନାହିଁ । ସ୍ୱର ବଦଳି ଯାଇଛି । ଆରଜି କର ଜୁନିଅର ଡାକ୍ତରମାନଙ୍କ ସହ ଆଲୋଚନା ପାଇଁ ମମତା ବାନାର୍ଜୀ ଦୁଇ ଘଂଟା କାଳ ଅପେକ୍ଷା କରିଥିଲେ ମଧ୍ୟ ସେମାନେ ଆସିଲେ ନାହିଁ । ସର୍ତ୍ତ ମାନି ନଥିବାରୁ ଜୁନିଅର ଡାକ୍ତରମାନେ ନବାନ୍ନ ଯାଇଥିଲେ ବି ମମତାଙ୍କ ସହ ବୈଠକରେ ସାମିଲ ହୋଇନଥଲେ । ନିରାଶ ହୋଇଥିଲେ ମମତା ବାନାର୍ଜୀ । ଜୁନିଅର ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ । ଲୋକଙ୍କ ପାଇଁ ସେ ଇସ୍ତଫା ଦେବାକୁ ମଧ୍ୟ ପ୍ରସ୍ତୁତ ବୋଲି ଭାବୁକ ଅନ୍ଦାଜରେ କହିଥିଲେ ମମତା । ୧୩ ବର୍ଷର ଶାସନ କାଳରେ ମମତା ବାନାର୍ଜୀଙ୍କ ଏମିତି ଭାବୁକ ଅନ୍ଦାଜ ଦେଖିବାକୁ କେବେ ମିଳିନଥିଲା । ଆରଜି କର ଘଟଣା ପରେ ବ୍ୟାପକ ପ୍ରତିବାଦ ଓ ବିକ୍ଷୋଭର ପ୍ରଭାବ ମମତା ବାନାର୍ଜୀଙ୍କ ଉପରେ ପଡିଛି ବୋଲି ନିଶ୍ଚିତ ଭାବେ କୁହାଯାଇପାରିବ । ଆନ୍ଦୋଳନ ଓ ବିରୋଧ ଯୋଗୁଁ ଚାପରେ ଅଛନ୍ତି ମମତା । ୧୩ ବର୍ଷ ମଧ୍ୟରେ ତାଙ୍କ ସରକାର ବିରୋଧରେ ଏତେ ବଡ ଜନ ଆନ୍ଦୋଳନ ଦେଖିବାକୁ ମିଳିନଥିଲା ।

ଦଳ ମଧ୍ୟରେ ବି ଅସନ୍ତୋଷ, ଚାପ

ଅଭିଯୋଗ ହୋଇଛି ଯେ, ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଠିକ୍ ଭାବେ ହ୍ୟାଣ୍ଡଲ କରିପାରିଲେ ନାହିଁ ମମତା । ଘଟଣାର ଗମ୍ଭୀରତାକୁ ଠିକ୍ ଭାବେ ଠଉରାଇ ପାରିଲେ ନାହିଁ । ଶାସକ ଟିଏମସି ମଧ୍ୟରୁ ମମତାଙ୍କ ବିରୋଧରେ ଅସନ୍ତୋଷର ସ୍ୱର ଶୁଭିଛି । ମମତା ବାନାର୍ଜୀଙ୍କ ବିରୋଧରେ ବିଦ୍ରୋହ ଦେଖାଦେଇଛି । ବରିଷ୍ଠ ନେତା ଜବାହର ସର୍କାର ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ଅନ୍ୟତମ ସାଂସଦ ଶୁଭେନ୍ଦୁ ଶେଖର ରାୟ ଖୋଲାଖୋଲି ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । ଏପରିକି ଟିଏମସି ସୁପ୍ରିମୋଙ୍କ ସହ ଅଭିଷେକ ବାନାର୍ଜୀଙ୍କ ମତଭେଦ ପଦାକୁ ଆସିଛି । ଆରଜି କର ଘଟଣା ନେଇ ନିଜ ଦଳ ଭିତରୁ ମଧ୍ୟ ଚାପରେ ଅଛନ୍ତି ମମତା । କିଛି ରାଜନୈତିକ ବିଶେଷଜ୍ଞଙ୍କ ମତରେ ଚାପରେ ଥିବା ମମତା ଇସ୍ତଫା ପ୍ରସ୍ତାବ ଦେଇ ଇମୋସନାଲ ଚାପ ପ୍ରୟୋଗ କରିବାକୁ ପ୍ରୟାସ କରିଛନ୍ତି । ମମତା ବାନାର୍ଜୀଙ୍କ ଭଳି ଜଣେ ଟାଣୁଆ ରାଜନେତା ହିଁ ଦଳରେ ପ୍ରଭାବ ପାଇଁ ଏଭଳି କରିପାରିବେ ବୋଲି ଚର୍ଚ୍ଚା ହେଉଛି ।

 

 

 

Comments are closed.