Latest Odisha News

BREAKING NEWS

ଓଡ଼ିଆ ହକି ଅଲିମ୍ପିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ପୁରୁଷ ଖେଳାଳିଙ୍କୁ ଅଢେଇ କୋଟି, ମହିଳା ଖେଳାଳିଙ୍କୁ ୫୦ଲକ୍ଷ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: ଓଡ଼ିଶାର ୪ ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆୋଜିତ ସମ୍ବର୍ଦ୍ଧନା ସମାରୋହରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବ୍ରୋଞ୍ଜ ପଦକ ବିଜେତା ପୁରୁଷ ହକି ଟିମର ଉପଅଧିନାୟକ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଢ଼େଇ କୋଟି ଲେଖାଏ ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।

ଏଥିସହ ଓଡ଼ିଶା ପୋଲିସରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଡିଏସପି ପଦରେ ନିଯୁକ୍ତି ଦେଇଛନ୍ତି ସରକାର । ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ଚେକ୍ ଓ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସେହିପରି ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଅଧିକ ପରିଶ୍ରମ କରି ଭଲ ପ୍ରଦର୍ଶନ ସହ ଦେଶକୁ ଗୌରବାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଭବିଷ୍ୟତରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ବୀରେନ୍ଦ୍ର ଲାକ୍ରା ସମସ୍ତ ଖେଳାଳିଙ୍କ ଦସ୍ତଖତ ସମ୍ବଳିତ ଜର୍ସି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ସେହିପରି ଦୀପଗ୍ରେସ ଏକ୍କା ମହିଳା ଟିମର ସମସ୍ତ ସଦସ୍ୟଙ୍କ ଦସ୍ତଖତ ସମ୍ବଳିତ ଜର୍ସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେଇଛନ୍ତି ।

ସମ୍ବର୍ଦ୍ଧନା ସମାରୋହରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର୍. ଭିନିଲ କ୍ରିଷ୍ଣା, ଓଡ଼ିଶା ହକି ପ୍ରମୋସନ୍ କାଉନସିଲ୍ ଅଧ୍ୟକ୍ଷ ତଥା ପୂର୍ବତନ ହକି ଖେଳାଳି ଦିଲ୍ଲୀପ ତିର୍କୀ, ଫାଇଟ୍ ଟି ସଚିବ ଭି. କେ. ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ । ହକିର ପ୍ରଚାର ପ୍ରସାର ଦିଗରେ ବହୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

ଉଭୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ଓଡ଼ିଶା ରହିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ବିଶ୍ୱରେ ହକି ହବ୍ ପାଲଟିଛି । ୨୦୨୩ରେ ହକି ବିଶ୍ୱକପ କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାରେ ଖେଳାଯିବ ।

Leave A Reply

Your email address will not be published.