Latest Odisha News

BREAKING NEWS

୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି । ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ, ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ପିଲାମାନଙ୍କୁ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ହେଉଛି ଆମର ଦାୟିତ୍ବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ପ୍ରଯକ୍ତି ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ । 5T ନୀତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ରୂପାନ୍ତର ହେଉଛି ଆମର 5T କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ ।

ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ସରକାରୀ ହାଇସ୍କୁଲର ପରିବେଶ ସୁନ୍ଦର ହେବା ସହ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଇଛି । ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ ।

କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ । କାର୍ଯ୍ୟକ୍ରମରେ ସୁନ୍ଦରଗଡରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ନବରଙ୍ଗପୁରରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ବାଲେଶ୍ବରରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କନ୍ଧମାଳରେ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଏବଂ କଟକରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଜିଲ୍ଲାର ବିଧାୟକମାନେ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.