Latest Odisha News

BREAKING NEWS

ହିଞ୍ଜିଳି ଶେରଗଡର ନବ ନିର୍ବାଚିତ ପ୍ରତିନିଧିଙ୍କୁ ବିକାଶ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ହିଞ୍ଜିଳି ଓ ଶେରଗଡର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦଳ ମତରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି । ତେଣୁ ଆପଣମାନେ ବର୍ତ୍ତମାନ ସମସ୍ତଙ୍କ ପାଇଁ କାମ କରନ୍ତୁ । ଦଳମତ ରୁ ଉପରକୁ ଉଠି କାମ କଲେ ଆମେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିକାଶ ସବୁବେଳେ ଆମର ଫୋକସ୍‌ ହୋଇ ରହିଆସିଛି । ବିକାଶ ପାଇଁ ଆମର କଠିନ ପରିଶ୍ରମକୁ ଜନସାଧାରଣ ସବୁବେଳେ ସ୍ବୀକୃତି ଦେଇଛନ୍ତି । ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକ ଐତିହାସିକ ରାୟ ଦେଇଛନ୍ତି । ସେଥିପାଇଁ ଜନସାଧାରଣଙ୍କ ନିକଟରେ ଆମେ ଋଣୀ ବୋଲି ସେ କହିଥିଲେ।

ଏ ବିଜୟ ଏକ ବହୁତ ବଡ ଦାୟିତ୍ବ ବୋଲି ପ୍ରକାଶ କରି ସେ କହିଥିଲେ, “ମୁଁ ଆଶା କରୁଛି ଯେ ଆପଣମାନେ ଆପଣଙ୍କ ଗାଁର, ଆପଣଙ୍କ ଅଞ୍ଚଳର ବିଜୟ ପାଇଁ କାମ କରିବେ । ଲୋକଙ୍କ ସୁଖଦୁଃଖରେ ସବୁବେଳେ ସେମାନଙ୍କ ସାଥିରେ ରହିବେ ।”5-T ସ୍କୁଲ ରୂପାନ୍ତରରେ ସେମାନଙ୍କ କାମକୁ ପ୍ରଶଂସା କରି ଆଗାମୀ ଦିନରେ ମଧ୍ୟ ବିକାଶ କାମକୁ ଆହୁରି ଜୋରରେ ଆଗେଇ ନେବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ। ହିଞିଳି ଓ ଶେରଗଡ ବ୍ଲକ୍‌ର ଉନ୍ନତି ପାଇଁ ସମସ୍ତେ ମିଳିମିଶି ଏକ ଟିମ୍‌ ଭାବରେ କାମ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Comments are closed, but trackbacks and pingbacks are open.