Latest Odisha News

BREAKING NEWS

ପାନୀୟ ଜଳ ପ୍ରକଳ୍ପ: ୨୦୧୮ ଡିସେମ୍ବର ସୁଦ୍ଧା ଲକ୍ଷ୍ୟ ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ୨୦୧୮ ଡିସେମ୍ବର ସୁଦ୍ଧା ପାନୀୟ ଜଳଯୋଗାଣର ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମାଞ୍ଚଳରେ ପାନୀୟ ଜଳ ଭିତ୍ତିଭୂମି ନିର୍ମାଣ ପାଇଁ ବର୍ଷକୁ ଅତି କମରେ ୩ହଜାର କୋଟି ଟଙ୍କା ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ ଡିସେମ୍ବର ସୁଦ୍ଧା ସହରାଞ୍ଚଳରେ ସମସ୍ତଙ୍କୁ ପାଇପ ପାଣି ଯୋଗାଣର ଲକ୍ଷ୍ୟ ପୂରା ହେବ । ସହରାଞ୍ଚଳରେ ପାନୀୟ ଜଳଯୋଗାଣର ଦୈନିକ ଆବଶ୍ୟକତା ୧୦୮୫ ମିଲିୟନ ଲିଟରର ଲକ୍ଷ୍ୟ ମଧ୍ୟ ୨୦୧୮-୧୯ରେ ପୂରଣ ହେବ । ଏହା ନିର୍ଦ୍ଧାରିତ ସମୟର ୪ବର୍ଷ ପୂର୍ବରୁ ହିଁ ପୂରଣ କରାଯାଉଛି । ସେହିପରି ୨୦୧୮-୧୯ ସୁଦ୍ଧା ୧୧,୩୨୫ କିଲୋମିଟର ଅଞ୍ଚଳରେ ଜଳଯୋଗାଣ ଲକ୍ଷ୍ୟ ପୂରଣ ହେବ । ଗତବର୍ଷ ଏହା ୭୩୯୧ କିଲୋମିଟର ଥିଲା । ସହରାଞ୍ଚଳର ପ୍ରତ୍ୟେକ ଘରକୁ ପାଇପ ପାଣି ଯୋଗାଣ ଲକ୍ଷ୍ୟ ରାଜ୍ୟ ସରକାରଙ୍କ ପ୍ରାଥମିକତା ଅଟେ । ତେଣୁ ଏହାକୁ ଖୁବ୍ ଶିଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ବସୁଧା ଓ ଅନ୍ୟାନ୍ୟ ବୃହତ୍ ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଗ୍ରାମାଞ୍ଚଳ ପାନୀୟ ଜଳଯୋଗାଣ କ୍ଷେତ୍ରରେ ସୂଚନା ଦିଆଯାଇଥିଲା ଯେ ଆଂଶିକ ଭାବେ ପାନୀୟ ଜଳ ସୁବିଧା ଥିବା ସମସ୍ତ ଜନବସତିକୁ ସମ୍ପୂର୍ଣ୍ଣ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି । ୨୦୧୪ ରୁ ୧୮ ମଧ୍ୟରେ ୪୮୭୬୬ ଆଂଶିକ ସୁବିଧା ଥିବା ଜନବସତିକୁ ସମ୍ପୂର୍ଣ୍ଣ ପାନୀୟ ଜଳ ସୁବିଧା ଦିଆଯାଇଛି । ସେହିପରି ପ୍ରତ୍ୟେକ ପଞ୍ଚାୟତର ଅତି କମ୍ରେ ଦୁଇଟି ଗାଁକୁ ପାଇପ ପାଣି ପ୍ରକଳ୍ପର ସୁବିଧା ଲକ୍ଷ୍ୟ ପୂରଣ ପାଇଁ ମଧ୍ୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫୬୯୦ ଟି ପଞ୍ଚାୟତର ଦୁଇଟି ଗାଁକୁ ପାନୀୟ ଜଳର ସୁବିଧା କରାଯାଇପାରିଛି ।

ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ବର୍ଷକୁ ଅତି କମରେ ୩ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ୨୦୧୭-୧୮ ଓ ୨୦୧୮-୧୯ ପାଇଁ ନିର୍ଦ୍ଧାରିତ ସମସ୍ତ ବୃହତ୍ ପାନୀୟ ଜଳ ପ୍ରକଳ୍ପ ଗୁଡିକୁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.