Latest Odisha News

‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଦକ୍ଷତା ପ୍ରଦର୍ଶନର ମହାକୁମ୍ଭ ‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’କୁ ଗୁରୁବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ରଖି କହିଛନ୍ତି, ୧ ଲକ୍ଷ ଯୁବପିଢ଼ିଙ୍କୁ ଟ୍ରେନିଂ ପାଇଁ ବଜେଟରେ ୧୦୦ କୋଟିର ବ୍ୟବସ୍ଥା ହୋଇଛି ଓ ସ୍କିଲ୍ ଇନ୍ ଓଡ଼ିଶା ଏବେ ବିଶ୍ୱରେ ଝଟକିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଥଲେ। ଏଥିସହ ଖଣି ଅଞ୍ଚଳରେ ଆର୍ଥ ମୁଭର୍ସ୍ ଚଳାଉଥିବା ୮ରୁ ୧୦ ଜଣ ମହିଳା ଡ୍ରାଇଭରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଥିଲେ।

ଉଲ୍ଲେଖଯୋଗ୍ୟ, ବିଶ୍ବସ୍ତରରେ ରେକର୍ଡ କରିଥିବା ଓଡ଼ିଆ ପିଲାଙ୍କ ସାମର୍ଥ୍ୟର ସୋ-କେସିଂ ପାଇଁ ଏଭଳି ସ୍କିଲ୍ କନକ୍ଲେଭର ଆୟୋଜନ କରାଯାଉଛି । ‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’ରେ ବିଭିନ୍ନ ପଲିଟେକନିକ୍, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜର ପ୍ରାୟ ୩ ହଜାର ଶିକ୍ଷାର୍ଥୀ ଓ ଶିଳ୍ପପତି ଅଂଶଗ୍ରହଣ କରିଛନ୍ତି। ମେକ୍ ଇନ୍ ଓଡ଼ିଶାର ପାର୍ଟ-୨ କୁହାଯାଉଥିବା ଏହି ବିଶ୍ବସ୍ତରୀୟ ଦକ୍ଷତା ଉତ୍ସବରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ,ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଭଳି କନକ୍ଲେଭ୍‌‌ ଆୟୋଜନ କରୁଛି। ବିଶ୍ୱ ବଜାରରେ ‘ସ୍କିଲ୍‌‌-ଇନ୍‌‌-ଓଡ଼ିଶା’ର ବ୍ରାଣ୍ଡ୍‌‌କୁ ପ୍ରୋତ୍ସାହନ ଏହାର ଲକ୍ଷ୍ୟ । ଏହି ସମାରୋହରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଓଡ଼ିଶା ଦକ୍ଷତା ବିକାଶ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗଚୀ ଉପସ୍ଥିତ ଥିଲେ । ‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’ ୨୨ ତାରିଖ ଯାଏଁ ଚାଲିବ।

Comments are closed.