Latest Odisha News

BREAKING NEWS

ଅସହାୟ ପ୍ରବାସୀ ଶ୍ରମିକଙ୍କ ପାଖରେ ପହଞ୍ଚିବ ତୁରନ୍ତ ସହାୟତା, ଶ୍ରମ ବିଭାଗ ଖୋଲିବ ସହାୟତା କେନ୍ଦ୍ର

ଭୁବନେଶ୍ବର : ପ୍ରତିଦିନ ବହୁ ସଂଖ୍ୟାରେ ଅନ୍ୟ ରାଜ୍ୟକୁ ଲୋକ କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି। ତେବେ ଅନେକ ସମୟରେ ସେମାନେ ସେଠାରେ ନିର୍ଯ୍ୟାତିତ ହେବା ସହ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ମଧ୍ୟ ହେବାର ଘଟଣା ମଧ୍ୟ ଆଗକୁ ଆସୁଛି । ତେବେ ବଡ଼ କଥା ହେଲା, ଏନେଇ ରାଜ୍ୟ ସରକାରଙ୍କ ପାଖରେ ଅଭିଯୋଗ ପହଞ୍ଚୁଥିଲେ ମଧ୍ୟ ଏପରି ଅସହାୟ ପ୍ରବାସୀ ଶ୍ରମିକଙ୍କ ପାଖରେ ସହାୟତା ପହଞ୍ଚାଇବା ଅନେକ ସମୟରେ କାଠିକର ପାଠ ହୋଇପଡୁଛି। ତେଣୁ ଏହାର ସ୍ଥାୟୀ ଓ ଦୀର୍ଘମିଆଦି ପ୍ରତିକାର ପାଇଁ ଶ୍ରମ ବିଭାଗ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବିଭାଗ ପକ୍ଷରୁ ଏକ ତିନି ବର୍ଷିଆ ସମନ୍ୱିତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଉଥିବା ବେଳେ ଯୋଜନା ଅନୁସାରେ ରାଜ୍ୟ ବାହାରକୁ ଯିବା ପୂର୍ବରୁ ପ୍ରବାସୀ ଶ୍ରମିକମାନେ ଓଡ଼ିଶାରେ ରହି ପ୍ରଥମେ ନିଜକୁ ପଞ୍ଜିକୃତ କରିବେ ଓ ସେମାନେ କେଉଁ ସ୍ଥାନକୁ ଯାଉଛନ୍ତି, କାହା ପାଖରେ କାମ କରିବେ, କେଉଁ ପ୍ରକାର ବୃତ୍ତିରେ ନିୟୋଜିତ ହେବେ, କାହା ସହାୟତାରେ ରାଜ୍ୟ ବାହାରକୁ ଯାଉଛନ୍ତି ଆଦିର ସମ୍ପୂର୍ଣ୍ଣ ବିବରଣୀ ସରକାରଙ୍କ ପାଖରେ ପ୍ରଦାନ କରିବେ। ଏଥିସହ ସେମାନେ ଅନ୍ୟ ରାଜ୍ୟରେ କୌଣସି ସମସ୍ୟା ଭୋଗିଲେ ଅବା ନିର୍ଯ୍ୟାତନାର ଶିକାର ହେଲେ, ସରକାର ଏଥିରେ ସମ୍ପୃକ୍ତ ରାଜ୍ୟ ପ୍ରଶାସନର ସହଯୋଗ ଲୋଡି ଆବଶ୍ୟକ ପଦକ୍ଷେପ ନେବେ। ଏହି କ୍ରମରେ ରାଜ୍ୟ ଶ୍ରମ ବିଭାଗ ଅଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରହୁଥିବା ରାଜ୍ୟ ସରକାରଙ୍କ ସହ ଆଲୋଚନା ଆରମ୍ଭ କରିଥିବା ଜଣାପଡ଼ିଛି।

ଶ୍ରମ ଓ ଇଏସ୍‌‌ଆଇ ବିଭାଗର ଶାସନ ସଚିବ ସନ୍ଥଗୋପାଳନ ଆର କହିଛନ୍ତି, ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ପାଇଁ ଆମେ ଯତ୍ନବାନ ଅଛୁ। ଏହା ଏପରି ଏକ ସମସ୍ୟା ଯେଉଁଥିରେ ରାଜ୍ୟ ସରକାର ଏକାକୀ କିଛି କରିପାରିବେ ନାହିଁ। ଅନ୍ୟ ରାଜ୍ୟର ସରକାରଙ୍କ ସହଯୋଗ ଆବଶ୍ୟକ। ସେଥିପାଇଁ ଆଲୋଚନା ଜାରି ରହିଛି। ସେହିପରି ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଓଡିଆ ସଂଘ ସହିତ ଆମେ ବୁଝାମଣା ସ୍ୱାକ୍ଷର କରିବୁ। ଯାହା ଫଳରେ ଆମକୁ ସେଠାରେ ସହାୟତା ମିଳିପାରିବ। ଯେଉଁ ସବୁ ରାଜ୍ୟରେ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ ରହୁଛନ୍ତି, ସେଠାରେ ଏକ ସହାୟତା କେନ୍ଦ୍ର ଖୋଲିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ମୋଟାମୋଟି କହିବାକୁ ଗଲେ, ଆଗକୁ ଏପରି ଘଟଣାରେ ରାଜ୍ୟ ଶ୍ରମ ବିଭାଗ ସିଧାସଳଖ ହସ୍ତକ୍ଷେପ କରିବ। ଅସହାୟ ପ୍ରବାସୀ ଶ୍ରମିକଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚିବ। ମାସେ ଦୁଇ ମାସ ଭିତରେ ଚିଠା ପ୍ରସ୍ତାବ ଆସିବା ପରେ ସରକାରଙ୍କ ଅନୁମୋଦନ ନେଇ ତାହା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ନିକଟରେ ସୁରତଠାରେ ଏକ ପ୍ରବାସୀ ଶ୍ରମିକ ସହାୟତା କେନ୍ଦ୍ର ନିକଟରେ ଉଦଘାଟିତ ହୋଇଛି। ଏଥିସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ରାଜ୍ୟ ବାହାରେ ଥିବା ୧୧୦ଟି ଡାକ୍ତରଖାନାକୁ ପଞ୍ଜିକରଣ କରିବା ପାଇଁ ପଦକ୍ଷେପ ନିଆଯାଉଛି ଓ ସେଠାରେ ପ୍ରବାସୀ ଶ୍ରମିକମାନେ ବିନା ଦେୟରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ଶ୍ରୀ ସନ୍ଥଗୋପାଳନ କହିଛନ୍ତି।

Leave A Reply

Your email address will not be published.