Latest Odisha News

BREAKING NEWS

ଶୁକ୍ରବାର ଗଞ୍ଜାମର ୨୩୦ଟି ରୂପାନ୍ତରିତ ବିଦ୍ୟାଳୟକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ୫-ଟି ବିଦ୍ୟାଳୟ ରୂପାନ୍ତରଣର ଲୋକାର୍ପଣ ଉତ୍ସବ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀରେ ଜିଲାର ୨୩୦ଟି ବିଦ୍ୟାଳୟରେ ରୂପାନ୍ତରଣର ଲୋକାର୍ପଣ କରିବେ । ଜିଲା ସ୍ତରୀୟ ଲୋକାର୍ପଣ ଉତ୍ସବ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ । ଏଥିରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଜିଲାର ସମସ୍ତ ବିଧାୟକଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ପ୍ରଧାନଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ଗତ ବର୍ଷ ଅଗଷ୍ଟରେ ପାଇଲଟ ପ୍ରକଳ୍ପ ଭାବେ ହିଂଜିଳି ନିର୍ବାଚନ ମଣ୍ଡଳୀର ହିଂଜିଳି ଏବଂ ଶେରଗଡ଼ ବ୍ଲକର ୫୦ଟି ବିଦ୍ୟାଳୟରେ ରୂପାନ୍ତରଣର ଲୋକାର୍ପଣ କରାଯାଇଥିଲା । ପରେ ପ୍ରଥମ ପର୍ଯ୍ୟାୟରେ ଜିଲାର ଆଉ ୮୩ଟି ବିଦ୍ୟାଳୟ ଏଥିରେ ସାମିଲ ହୋଇଥିଲେ ।

ପୁରୁଣା ସରକାରୀ ବିଦ୍ୟାଳୟଗୁଡ଼ିକୁ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୫-ଟି ଅଭିଯାନରେ ବିଦ୍ୟାଳୟ ରୂପାନ୍ତରଣ ଚାଲିଛି । ରାଜ୍ୟରେ ପ୍ରଥମ ଥର ପାଇଁ ହିଂଜିଳି ଏବଂ ଶେରଗଡ଼ ବ୍ଲକକୁ ପାଇଲଟ ପ୍ରକଳ୍ପ ଭାବେ ଏଥିରେ ସାମିଲ କରାଯାଇଥିଲା । ପରେ ଅନ୍ୟ ଅଞ୍ଚଳର ବିଦ୍ୟାଳୟ ମଧ୍ୟ ଏଥିରେ ସାମିଲ ହୋଇଥିଲା।

ବ୍ରହ୍ମପୁର ସହରର ୪ଟି ବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ଗତ ନଭେମ୍ବର ୧୬ ତାରିଖରେ ଲୋକାର୍ପଣ ହୋଇଥିଲା । ସେଗୁଡ଼ିକ ଥିଲା ସିଟି ହାଇସ୍କୁଲ, ଭି.ଭି.ଗିରି ବାଳିକା ଉଚ୍ଚ ବିଦ୍ୟାଳୟ, ମେଡ଼ିକାଲ କ୍ୟାମ୍ପସ ହାଇସ୍କୁଲ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ। ଏବେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୭ଟି ବିଦ୍ୟାଳୟର ରୂପାନ୍ତରଣ ହୋଇଛି। ସେଗୁଡ଼ିକ ହେଲା ଆସିକା ରୋଡ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ, ଆସିକା ରୋଡ ବାଳିକା ଉଚ୍ଚ ବିଦ୍ୟାଳୟ, କୁଇନ ମିଶନ ଉଚ୍ଚ ବିଦ୍ୟାଳୟ, ମିଲିଟାରୀ ଲେନ ଉଚ୍ଚ ବିଦ୍ୟାଳୟ, ଆଙ୍କୁଲି ମଦର ସରୋଜିନୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆଙ୍କୁଲି ପୌର ଉଚ୍ଚ ବିଦ୍ୟାଳୟ, ଲାଞ୍ଜିପଲ୍ଲୀ ପୌର ଉଚ୍ଚ ବିଦ୍ୟାଳୟ।

ଲୋକାର୍ପଣ ଉତ୍ସବ ପୂର୍ବରୁ ଗୁରୁବାର ଏସବୁ ବିଦ୍ୟାଳୟଗୁଡ଼ିକରେ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଥିଲା । ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦର ପ୍ରମୁଖ ସହରର ୭ଟି ହାଇସ୍କୁଲ ହୋଇଥିବା ରୂପାନ୍ତରଣ କାର୍ଯ୍ୟ ବୁଲି ଦେଖି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ପରେ ନିଗମ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୁକ୍ତ ବୋନ୍ଦର ସମୀକ୍ଷା କରିଥିଲେ । ଏଥିରେ ଅତିରିକ୍ତ ଆୟୁକ୍ତ ଆଶୁତୋଷ ସାମଲଙ୍କ ସମେତ ନିଗମର ସମସ୍ତ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏତଦ୍‌ ବ୍ୟତିତ ଆସିକା ବ୍ଲକର ୧୪ଟି ହାଇସ୍କୁଲର ରୂପାନ୍ତରଣ ଲୋକାର୍ପଣ ହେବାକୁ ଥିବା ବେଳେ ବେଗୁନିଆପଡ଼ାର ୧୦ଟି, ବେଲଗୁଣ୍ଠାର ୧୧ଟି, ଭଞ୍ଜନଗରର ୧୧ଟି, ବୁଗୁଡ଼ାର ୧୧ଟି, ଛତ୍ରପୁରର ୮ଟି, ଚିକିଟିର ୯ଟି, ଧରାକୋଟର ୧୧ଟି, ଦିଗପହଣ୍ଡିର ୧୨ଟି, ଗଞ୍ଜାମର ୧୦ଟି, ଜଗନ୍ନାଥପ୍ରସାଦର ୧୦ଟି, କବିସୂର୍ଯ୍ୟନଗରର ୧୩ଟି, ଖଲ୍ଲିକୋଟର ୧୧ଟି, କୁକୁଡ଼ାଖଣ୍ଡିର ୧୧ଟି, ପାତ୍ରପୁରର ୧୦ଟି, ପୋଲସରାର ୧୧ଟି, ପୁରୁଷୋତ୍ତପୁରର ୧୩ଟି, ରଙ୍ଗେଇଲୁଣ୍ଡାର ୧୪ଟି, ସାନଖେମୁଣ୍ଡିର ୧୩ଟି ଏବଂ ସୋରଡ଼ା ବ୍ଲକର ୧୦ଟି ବିଦ୍ୟାଳୟ ରହିଛି ।

Leave A Reply

Your email address will not be published.