Latest Odisha News

ତିତଲି ବାତ୍ୟା ପ୍ରପୀଡିତ ୧୩ ହଜାର ପରିବାର ପାଇବେ ‘ବିଜୁ ପକ୍କାଘର’, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ବାତ୍ୟା ତିତଲି ପ୍ରଭାବରେ ବ୍ୟାପକ କ୍ଷତି ଘଟିଥିବା ୧୧ଟି ଜିଲ୍ଲାର ୧୩ ହଜାର ପରିବାରକୁ ‘ବିଜୁ ପକ୍କା ଘର’ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ବାବଦକୁ ୧୭୬ କୋଟି ଟଙ୍କା ବିନିଯୋଗ କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ ତିତଲି ପ୍ରଭାବରେ ୧୧ଟି ଜିଲ୍ଲାରେ ପ୍ରାୟ ୧୩ ହଜାର ପରିବାରର ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ନେଇ ତଥ୍ୟ ଆକଳନ କରାଯାଇଥିଲା ।

ଅନ୍ୟପକ୍ଷରେ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ବେଗରେ ସମ୍ପୂର୍ଣ୍ଣ କରିବା ସହ ସ୍ୱଚ୍ଛତା ରକ୍ଷା କରିବା ପାଇଁ ସମସ୍ତ ୱାର୍କ ଅର୍ଡର ଗୁଡିକୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ବ୍ଲକସ୍ତରରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ମଧ୍ୟ ବିଜୁ ପକ୍କାଘର ପାଇଁ ନିର୍ମାଣ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଘରୋଇ ବ୍ୟବସାୟୀମାନଙ୍କ ସହିତ ସ୍ଥାନୀୟ ‘ସ୍ୱୟଂ ସହାୟକ ଗୋଷ୍ଠୀ’ମାନଙ୍କୁ ମଧ୍ୟ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିପାଇଁ ‘ସ୍ୱୟଂ ସହାୟକ ଗୋଷ୍ଠୀ’ ଗୁଡିକୁ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.