Latest Odisha News

BREAKING NEWS

ଢେଙ୍କାନାଳ: ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ନିର୍ମାଣକୁ ରାଜ୍ୟ ସରକାରଙ୍କ ବାତିଲ୍

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ନିର୍ମାଣକୁ ବାତିଲ୍ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ।

ରାଜସ୍ୱ ବିଭାଗ କମିଶନର (ଆରଡ଼ିସି)ଙ୍କ ରିପୋର୍ଟ ଆଧାରରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିର୍ଦ୍ଦେଶନାମା ଜାରି ହୋଇଛି ।

ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମସ୍ଥିତ ଝିଙ୍କରଗଡ଼ି ଜଙ୍ଗଲରେ ଗଛକଟାକୁ କେନ୍ଦ୍ରକରି ନଭେମ୍ବର ୧୭ ତାରିଖରେ ଶତାଧିକ ଗ୍ରାମବାସୀ ବିରୋଧ କରିବା ସହିତ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା । ଏହାକୁ ନେଇ ବିଜେପି ବିଧାନସଭାରେ ହଟ୍ଟଗୋଳ କରିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଜଙ୍ଗଲରେ ଗଛକଟାକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଗଛକଟା ବନ୍ଦହେବାର ପରଦିନ ଅର୍ଥାତ୍ ସୋମବାର ଦିନ ଏହି ସଂକ୍ରାନ୍ତରେ ଆରଡ଼ିସି ଏକ ଯାଞ୍ଚ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଜିଲ୍ଲା ପ୍ରଶାସନ ଗଛ କାଟିବାକୁ ୬ ପ୍ଲାଟୁନ ପୋଲିସ ମୁତୟନ କରି ଗଛକଟା ଆରମ୍ଭ କରିଥିଲେ, ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ଘୋର ବିରୋଧ କରାଯିବା ସହିତ ଏନେଇ ପୋଲିସ ୨୦ ଜଣ ଗ୍ରାମବାସୀଙ୍କୁ ଅଟକ ରଖିଥିଲେ ।

ଏହି ଘଟଣାର ପରବର୍ତ୍ତୀ ସମୟରେ କଂଗ୍ରେସ ଓ ବିଜେପିର ଦୁଇଟି ପ୍ରତିନିଧି ଦଳ ବଳରାମପୁରସ୍ଥିତ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କ ସହିତ ଏହି ଘଟଣା ସଂକ୍ରାନ୍ତରେ ଆଲୋଚନା କରିଥିଲେ । ରାଜ୍ୟ ବିଧାନସଭାରେ ଚାଲିଥିବା ଶୀତକାଳୀନ ଅଧିବେଶନ ଚାଲିଥିବା ଅବସରରେ ସୋମବାର ଦିନ ଗୃହରେ ଏନେଇ ଏକ ମୁଲତବୀ ପ୍ରସ୍ତାବ ରଖିବାକୁ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଥିଲା । ତେବେ ଯାହାବିହେଉ ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଏହାକୁ ନେଇ ଆଲୋଚନା ହୋଇ ପାରିନଥିଲା ଏବଂ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତିରାଶି କଟାଯିବାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା ଶାସକ ବିଜୁ ଜନତା ଦଳ । ମ୍ୟାଟ୍ରିିକ୍ ପାସ କରିଥିବା ଅନୁସୂଚିତ ଜାତି ଓ ଉପଜାତିର ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ବୃତ୍ତିରେ କାଣ୍ଟଛାଣ୍ଟ କରାଯିବା ନେଇ ଶାସକ ବିଜେଡ଼ି ଦଳ ଗୃହରେ କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେବା ଦ୍ୱାରା ହଟ୍ଟଗୋଳ ସୃଷ୍ଟି ହୋଇଥିଲା ।

ଏହି ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ପ୍ରକଳ୍ପଟିକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନଭେମ୍ବର ୩ ତାରିଖରେ ଭିଡ଼ିଓ କନଫରେନ୍ସିଂ ଯୋଗେ ଶିଳାନ୍ୟାସ କରିଥିଲେ ।

ଏହି ପ୍ରସ୍ତାବିତ ପ୍ରକଳ୍ପଟି ୬୦୦ ଏକର ଜମି ଉପରେ ଗତ ନଭେମ୍ବର ୮ତାରିଖରୁ ନିର୍ମିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ।

Leave A Reply

Your email address will not be published.