Latest Odisha News

ହାତ ମିଳାଇଲେ ମରିୟମ…ବଢିଗଲା ବିବାଦ

ନୂଆଦିଲ୍ଲୀ: ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ୟୁଏଇ ରାଷ୍ଟ୍ରପତି ଶେଖ ମୋହମ୍ମଦ ବିନ ଜୟଦଙ୍କ ସହ ହାତ ମିଳାଇବାକୁ ନେଇ ପାକିସ୍ତାନରେ ବିବାଦ। ହାତ ମିଳାଇବା ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ଗଣମାଧ୍ୟମଠାରୁ ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କିଛି ଲୋକ ଏହାକୁ ଠିକ କହୁଛନ୍ତି ତ ଆଉ କିଛି ଏହାକୁ ଇସଲାମ ନିୟମ ଅନୁସାରେ ଭୁଲ ବୋଲି କହୁଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଇମରାନ ଖାନଙ୍କ ସମର୍ଥକ ଓ ସହବାଜ ସରିଫଙ୍କ ସମର୍ଥକଙ୍କ ମଧ୍ୟରେ ବାକଯୁଦ୍ଧ ଚାଲିଛି । ଇମରାନଙ୍କ ସମର୍ଥକ ଏହାକୁ ପାକିସ୍ତାନ ପାଇଁ ଲଜ୍ଜାର ବିଷୟ କହୁଥିବା ବେଳେ, କ୍ଷମତାରେ ଥିବା ସମୟରେ ଇମରାନ ମଧ୍ୟ ବହୁତ ମହିଳାଙ୍କ ସହିତ ହାତ ମିଳାଇଥିବା କହି କାଉଣ୍ଟର କରୁଛନ୍ତି ମରିୟମଙ୍କ ସମର୍ଥକ। ଲୋକଙ୍କ କହିବା ମୁତାବକ କିଛିଦିନ ପୂର୍ବେ ଏକ ମାମଲାର ଯାଞ୍ଚ ସମୟରେ ମରିୟମ ଏନବିଏ ପାଖରେ ହାଜିର ହେବାକୁ ମନା କରିଥିଲେ। ଯାଞ୍ଚ କରିବାକୁ ଥିବା ସମସ୍ତ ବ୍ୟକ୍ତି ପୁରୁଷ ହୋଇଥିବାରୁ ମରିୟମ ସେମାନଙ୍କ ସାମ୍ନାରେ ଉପସ୍ଥିତ ହୋଇ ପାରିବେନି ବୋଲି କହିଥିଲେ। ଏବେ ୟୁଏଇ ରାଷ୍ଟ୍ରପତିଙ୍କ ସହ ହାତ ମିଳାଇବାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି।

ୟୁଏଇ ରାଷ୍ଟ୍ରପତି ଶେଖ ମୋହମ୍ମଦ ବିନ ଜୟଦ ମଙ୍ଗଳବାର ପାକିସ୍ତାନ ଗସ୍ତରେ ଆସିଥିଲେ। ପାକିସ୍ତାନର ରହିମ ୟାର ଖାନରେ ଥିବା ଏୟାରପୋର୍ଟରେ ସହବାଜ ସରିଫ ଓ ମରିୟମ ନୱାଜ ତାଙ୍କୁ ସ୍ବାଗତ କରିଥିଲେ। ଏହି ସମୟରେ ପାକିସ୍ତାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ୟୁଏଇ ରାଷ୍ଟ୍ରପତି ଶେଖ ମୋହମ୍ମଦ ବିନ ଜୟଦଙ୍କ ସହ ହାତ ମିଳାଇଥିଲେ। ହାତ ମିଳାଇବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ପାକିସ୍ତାନରେ ବିବାଦ ବଢିବାରେ ଲାଗିଛି।

ମରିୟମ କୌଣସି ବାହାର ପୁରୁଷଙ୍କ ସହ ହାତ ମିଳାଇବା, ପାକିସ୍ତାନର ଇସଲାମୀ ନିୟମ ଉଲ୍ଲଂଘନ ବୋଲି କୁହାଯାଉଛି। ଇସଲାମ ଧର୍ମ ଅନୁସାରେ ବାପା ଓ ଭାଇଙ୍କୁ ମଧ୍ୟ ମହରମ କୁହାଯାଏ। ଇସଲାମରେ ଜଣେ ମହିଳା ନିଜ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ସବୁ ପୁରୁଷଙ୍କ ସାମ୍ନାରେ, ନିଜକୁ ଢାଙ୍କି କରି ରଖିବାକୁ ପ୍ରଥା ରହିଛି। କେବଳ ମହିଳା ନୁହନ୍ତି, ଇସଲାମ ଧର୍ମରେ ପୁରୁଷମାନଙ୍କ ପାଇଁ ମଧ୍ୟ ଏପରି ନିୟମ ରହିଛି।

ତେବେ ଏହାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବାକଯୁଦ୍ଧ ଦେଖିବାକୁ ମିଳିଛି। ଇମରାନ ଖାନଙ୍କ ସରକାରରେ ମୁଖପାତ୍ର ଥିବା ଡ ସହବାଜ ଗିଲ୍, ମରିୟମ ନୱାଜଙ୍କୁ ଏକ୍ସରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସରିଫ ପରିବାର ରାଜନ୍ୟାୟିକ ମାନଦଣ୍ଡ ଓ ପ୍ରୋଟୋକଲ ଭୁଲିଛନ୍ତି। ଏହି କାରଣରୁ ପାକିସ୍ତାନବାସୀ ତାଙ୍କୁ ନିନ୍ଦା କରୁଛନ୍ତି। ଅପରପକ୍ଷରେ ମରିୟମଙ୍କ ସପକ୍ଷରେ ଉଲ୍ଲେଖ କରି ଏକ୍ସରେ ପୋଷ୍ଟ କରିଛନ୍ତି ପାକିସ୍ତାନୀ ଏକ୍ସ ୟୁଜର ଜୋହା। ଇମରାନ ଖାନ ଅନ୍ୟ ଦେଶର ମହିଳା ପ୍ରତିନିଧିମାନଙ୍କ ସହ ହାତ ମିଳାଉଥିବା ସମୟର କିଛି ଫଟୋ, ସେୟାର କରିଛନ୍ତି ଜୋହା। ସେ କହିଛନ୍ତି, ସେ ସମୟରେ ଆପଣଙ୍କ ଇସଲାମୀ ନିୟମ କୁଆଡେ ଚାଲିଯାଇଥିଲା ? ମହିଳାଙ୍କୁ ସବୁବେଳେ ଧାର୍ମିକ ମୁଦ୍ଦା ନ କରି ଇମରାନ କିଛି ଭଲ କାମ କରନ୍ତୁ ବୋଲି ସେ ଏକ୍ସରେ ଲେଖିଛନ୍ତି।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Leave A Reply

Your email address will not be published.