Latest Odisha News

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’

ଭୁବନେଶ୍ୱର: ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି । କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ । କୃଷି କାର୍ଯ୍ୟ ସହିତ ଗାଇ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ରାଜ୍ୟର ପ୍ରାଣୀ ସମ୍ପଦର ବିକାଶ କ୍ଷେତ୍ରରେ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀଧନ ନିରୀକ୍ଷକ ଓ ବିଭାଗୀୟ ଅନ୍ୟ କର୍ମଚାରୀ ମାନେ ନିରନ୍ତର ଭାବେ ପ୍ରାଣୀ ସେବା ଯୋଗାଇଥାନ୍ତି । ଆମ ଏହି ବିଭାଗର କର୍ମଚାରୀ ମାନଙ୍କ ବୈଷୟିକ ଜ୍ଞାନ ଚାଷୀ ଭାଇ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ଖୁବ୍ ସହାୟକ ହୋଇଥାଏ । ପ୍ରାଣୀ ପାଳନ ମନୁଷ୍ୟ ସମାଜର ସବୁଠାରୁ ପୁରାତନ ଜୀବିକା । ଆଜି ସମୟ ବଦଳି ଯାଇଛି, ମଣିଷ ସମାଜ ବର୍ତ୍ତମାନ ବିଭିନ୍ନ ପ୍ରକାର ବୃତ୍ତିଗତ ବ୍ୟବସାୟରେ ଜଡିତ ହୋଇ ଆଗକୁ ବଢୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରାଣୀ ସମ୍ପଦର ବିକାଶ ପାଇଁ ଚଳିତ ବର୍ଷ ବଜେଟ୍‌ରେ ୬୯୭ କୋଟି ଟଙ୍କା ରଖାଯାଇଛି । ଆମ ନୂଆ ସରକାରଙ୍କ ଦ୍ବାରା ନୂତନ ଯୋଜନା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏବଂ ପ୍ରାଣୀ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଆରମ୍ଭ କରାଯିବ ବୋଲି ସେ କହିଥିଲେ ।

Comments are closed.