Latest Odisha News

BREAKING NEWS

HIV positive in Chaibasa: ଶିଶୁମାନେ ଏଚଆଇଭି ପଜିଟିଭ୍‌ ଚିହ୍ନଟ;ମୁଖ୍ୟମନ୍ତ୍ରୀ ଦେଲେ ନିଲମ୍ବନ ନିର୍ଦ୍ଦେଶ

ରାଞ୍ଚି: ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ଥିବା ଚାଇବାସା ସରକାରୀ ହସ୍ପିଟାଲରେ ଥାଲାସେମିଆ ପୀଡିତ ଶିଶୁକୁ ଏଚଆଇଭି ସଂକ୍ରମିତ ରକ୍ତ ଦେବା ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଚାଇବାସା ସଦର ହସ୍ପିଟାଲର ସିଭିଲ ସର୍ଜନ ଏବଂ ତାଙ୍କ ସହିତ ଥିବା ଅନ୍ୟ ଅଧିକାରୀମାନଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଚାଇବାସା ସିଭିଲ୍ ସର୍ଜନ ଡାକ୍ତର ସୁଶାନ୍ତୋ କୁମାର ମାଞ୍ଝିଙ୍କ ସମେତ ଅନେକ ଅଧିକାରୀଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଏହି ଘଟଣାରେ ପ୍ରଭାବିତ ସମସ୍ତ ପିଲାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘୋଷଣା କରିଛନ୍ତି। ଏହା ସହିତ, ରାଜ୍ୟ ସରକାର ନିଜ ଖର୍ଚ୍ଚରେ ପ୍ରଭାବିତ ପିଲାମାନଙ୍କର ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ସେ କହିଛନ୍ତି ଶିଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ସହିତ ଜଡିତ କୌଣସି ପ୍ରକାରର ଅବହେଳାକୁ କେବେବି ବରଦାସ୍ତ କରାଯିବ ନାହିଁ।

ଉଲ୍ଲେଖନୀୟ ଯେ ମାଞ୍ଜାରି ଅଞ୍ଚଳର ଜଣେ ଥାଲାସେମିଆ ପୀଡିତ ଶିଶୁକୁ ରକ୍ତଭଣ୍ଡାରରୁ HIV ପଜିଟିଭ୍ ରକ୍ତ ଦିଆଯାଇଥିବା ଅଭିଯୋଗ ଆସିବା ପରେ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଶନିବାର ଦିନ ପାଞ୍ଚ ଜଣିଆ ଦଳ ତଦନ୍ତ କରିବା ସମୟରେ ଆଉ ୬ ଜଣ ଥାଲାସେମିଆ ଶିଶୁଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ମିଳିଥିଲା।

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, “ମୁଁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛି ଏବଂ ଏକ ସପ୍ତାହ ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି। ମୁଁ ଏହା ମଧ୍ୟ ସ୍ପଷ୍ଟ ଭାବରେ କହିଛି ଯେ ତଦନ୍ତ କରାଯିବ ରକ୍ତ ଯୋଗାଣ ରକ୍ତଭଣ୍ଡାରରୁ ହେଉଥିଲା ନା ବାହାରୁ ହେଉଥିଲା ।”

 

Comments are closed.