Latest Odisha News

BREAKING NEWS

ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବଖାଣିବେ ମୋଦିଙ୍କ ୧୧ ବର୍ଷର ସଫଳତା

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦି ସରକାରଙ୍କୁ ସୋମବାର ୧୧ ବର୍ଷ ପୂରିଛି । ଏହି ଅବସରରେ ମୋଦି ସରକାରଙ୍କ ୧୧ ବର୍ଷର ଗାଥା ପରିପ୍ରକାଶ କରିବା ପାଇଁ ଆଜି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଆଜି ମୋଦି ସରକାରଙ୍କ ସଫଳତା ବିଷୟରେ କହିବେ । ଏନେଇ ପ୍ରଥମେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସକାଳ ୧୦.୪୫ ରେ ଲକ୍ଷ୍ନୌର ରାଜ୍ୟ ବିଜେପି ମୁଖ୍ୟାଳୟରେ ସାମ୍ବାଦିକଙ୍କ ସହ ଆଲୋଚନା କରି ମୋଦିଙ୍କ ୧୧ ବର୍ଷର ସଫଳତା ନେଇ ୟୁପିବାସୀଙ୍କୁ ଅବଗତ କରାଇଛନ୍ତି ।

ସେମିତି ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରିବେ । ମୋଦି ସରକାରଙ୍କ ସଫଳତା ବଖାଣିବେ ମୁଖ୍ୟମନ୍ତ୍ରୀ । ଏଥିସହିତ ଦିନକ ପରେ ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିବ । ଜେଣୁ ଏହି ବର୍ଷ ଭିତରେ ରାଜ୍ୟ ସରକାରଙ୍କ ରିପୋର୍ଟ କାର୍ଡ ମଧ୍ୟ ସାଧାରଣ ଜନତାଙ୍କ ଆଗରେ ରଖିପାରନ୍ତି ମୁଖ୍ୟମନ୍ତ୍ରୀ ।  ସେପଟେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଗତ ଜୁନ୍‌ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କ୍ରମରେ ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ । ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।  ଜୁନ୍‌୨୦ରେ ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂର୍ତ୍ତିର ମୁଖ୍ୟ କାର୍ଯ୍ୟକ୍ରମ କରାଯିବ ।

ସେହିପରି ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ… ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଆଜି ସାମ୍ବାଦିକ ସମ୍ମିଳନୀ କରି ମୋଦି ସରକାରଙ୍କ ସଫଳତା ବିଷୟରେ କହିବେ । ଗତ ୧୧ ବର୍ଷ ଭିତରେ କିପରି ମୋଦି ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷ ଛୁଇଁଛନ୍ତି ସେନେଇ ବଖାଣିବେ ।

ସେପଟେ ଗତକାଲି ମୋଦି ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ଜେପି ନଡ୍ଡା । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସୋମବାର ମୋଦି ସରକାରଙ୍କ ସଫଳତା ଗଣନା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଦେଶର ରାଜନୈତିକ ସଂସ୍କୃତି ବଦଳାଇ ଦେଇଛନ୍ତି, ରାଜନୀତିର ଦିଗ ବଦଳାଇ ଦେଇଛନ୍ତି। ପୂର୍ବରୁ ସରକାର ଘୋଷଣା କରୁଥିଲେ, ଯାହା କେବେ ପୂରଣ ହେଉନଥିଲା । ଏଥିସହିତ ନଡ୍ଡା କହିଛନ୍ତି ଯେ ପୂର୍ବରୁ ଯେତେବେଳେ ଆତଙ୍କବାଦୀ ଆକ୍ରମଣ ହେଉଥିଲା, ଆମେ ଅନ୍ୟ ଦେଶକୁ ଅନୁରୋଧ କରୁଥିଲୁ କିନ୍ତୁ ଏବେ ଭାରତ ଶତ୍ରୁମାନଙ୍କୁ ସେମାନଙ୍କ ଘରେ ପ୍ରବେଶ କରି ହତ୍ୟା କରୁଛୁ। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଅପରେସନ ସିନ୍ଦୁର ବିଷୟରେ ଉଲ୍ଲେଖ କରି ନଡ୍ଡା ଏହା କହିଛନ୍ତି।

Comments are closed.