ପାରାଦୀପ: ସମୁଦ୍ରରେ ପ୍ରଦୂଷଣ ରୋକିବାକୁ ବୁଧବାର ପ୍ରଦୂଷଣ ପ୍ରତିକ୍ରିୟା ଅଭ୍ୟାସ (ମକ ଡ୍ରିଲ) କରାଯାଇଛି । ଭାରତୀୟ ତଟ ରକ୍ଷକ ବାହିନୀ ଉତ୍ତର-ପୂର୍ବ ଅଞ୍ଚଳ ପକ୍ଷରୁ ଏହି ମକ୍ ଡ୍ରିଲ୍ ବା ପଲ୍ୟୁସନ ରେସ୍ପନ୍ସ ଏକ୍ସରସାଇଜ କରାଯାଇଛି । କୌଣସି କାରଣରୁ ସମୁଦ୍ରରେ ଜାହାଜରୁ ତେଲ ଲିକ୍ ହେଲେ କିମ୍ବା କୌଣସି ପ୍ରକାର ପ୍ରଦୂଷଣ ହେଲେ କୋଷ୍ଟଗାର୍ଡ କିପରି ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବ, ସେ ସମ୍ପର୍କରେ ପ୍ରସ୍ତୁତି ଅଭ୍ୟାସ ଚାଲିଛି ।
ପାରାଦୀପ ଉପକୂଳ ଠାରୁ ୩୫ କିମି ଗଭୀର ସମୁଦ୍ରରେ ଏହି ମକ୍ ଡ୍ରିଲ ଅନୁଷ୍ଠିତ ହୋଇଛି । ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ଭାରତୀୟ ତଟ ରକ୍ଷକ ବାହିନୀ ଯୁଦ୍ଧ ଜାହାଜ ବିଜୟ ସମେତ ଭରଦ, ଅମୋଘ, ଅଦମ୍ୟ, କମଳାଦେବୀ, ଅମ୍ରିତକୌର ଓ ସି-୪୨୬ ସାମିଲ ହୋଇଛନ୍ତି । ଏହା ବାଦ ଆଇଓସିଏଲ ବୋଟ, ପାରାଦୀପ ବନ୍ଦର ପ୍ରାଧିକରଣ ବୋଟ ଓ ଟଗ ବୋଟ ଅଂଶ ଗ୍ରହଣ କରିଥିଲେ ।
ଆଇସିଜିର ଡୋନିଆର ଉଡାଜାହାଜ ଭୁବନେଶ୍ୱରରୁ ଆସି ପାରାଦୀପରେ ମକ ଡ୍ରିଲରେ ଅଂଶ ଗ୍ରହଣ କରିଥିଲା । ଉକ୍ତ ମକ୍ ଡ୍ରିଲରେ ଜାହାଜର ୪ ଶହରୁ ଊର୍ଦ୍ଧ୍ବ କର୍ମଚାରୀ ଭାଗ ନେଇଛନ୍ତି ।
ଗଭୀର ସମୁଦ୍ରରୁ ଆରମ୍ଭ କରି ସମୁଦ୍ର ତଟ ପର୍ଯ୍ୟନ୍ତ ସ୍ବଚ୍ଛତା ବଜାୟ ରଖିବା ଓ ସାମୁଦ୍ରିକ ପରିବେଶ ପରିଷ୍କାର ରଖିବା ଦିଗରେ କୋଷ୍ଟଗାର୍ଡର ଭୂମିକା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ହେଉଛି ମକଡ୍ରିଲ ।