Latest Odisha News

BREAKING NEWS

ଦିଲ୍ଲୀରେ ଗର୍ଜିଲା Cockroach Janta Party, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ଅନଲାଇନ୍‌ ଆନ୍ଦୋଳନରୁ ଆରମ୍ଭ ହୋଇଥିବା Cockroach Janta Party, CJP ଶନିବାର ଦିଲ୍ଲୀର ଜନ୍ତରମନ୍ତରରେ ନିଜର ପ୍ରଥମ ବଡ଼ ରାସ୍ତା ପ୍ରତିବାଦ କରିଛି। ଯୁବ, ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀମାନେ ଏହି ପ୍ରତିବାଦରେ ଯୋଗଦେଇ ପରୀକ୍ଷା ଅନିୟମିତତା, ପେପର୍‌ ଲିକ୍‌ ଓ ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ଅଭାବକୁ ନେଇ ସ୍ୱର ଉଠାଇଛନ୍ତି।

ସିଜେପିର ପ୍ରତିଷ୍ଠାତା ଅଭିଜୀତ ଦିପକେଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରତିବାଦର ମୁଖ୍ୟ ଦାବି ଥିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା। ପ୍ରତିବାଦକାରୀମାନଙ୍କ ଅଭିଯୋଗ, ପରୀକ୍ଷା ତ୍ରୁଟି, ପେପର୍‌ ଲିକ୍‌ ଓ ମୂଲ୍ୟାୟନ ଭୁଲ୍‌ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ୍‌ ସହ ଖେଳ ହେଉଛି। ଏହାକୁ ନେଇ ସରକାରୀ ଦାୟିତ୍ୱ ନିର୍ଦ୍ଧାରଣ ହେବା ଦରକାର ବୋଲି ସେମାନେ ଦାବି କରିଛନ୍ତି।

ଅଭିଜୀତ ଦିପକେ ପ୍ରତିବାଦ ସ୍ଥଳରୁ କହିଛନ୍ତି ଯେ, ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରହିବ ଓ ହିଂସାକୁ ସ୍ଥାନ ଦିଆଯିବ ନାହିଁ। ତାଙ୍କ କଥାରେ, ଏହା କେବଳ ଏକ ଟ୍ରେଲର୍‌, ଆଗକୁ ଆନ୍ଦୋଳନକୁ ଦେଶବ୍ୟାପୀ କରାଯିବ। ଆନ୍ଦୋଳନକାରୀମାନେ “ପୋଷ୍ଟ ଡିଲିଟ୍‌ ହୋଇପାରେ, କିନ୍ତୁ ଆମେ ନୁହେଁ” ଭଳି ସ୍ଲୋଗାନ୍‌ ଦେଇ ସୋସିଆଲ୍‌ ମିଡିଆରେ ନିୟନ୍ତ୍ରଣ ଓ ଯୁବ ସ୍ୱରକୁ ଦମନ କରାଯାଉଥିବା ଅଭିଯୋଗ ଉଠାଇଛନ୍ତି।

CJP ପ୍ରଥମେ ଏକ ସାଟାଇରିକାଲ୍‌ ଅନଲାଇନ୍‌ ମୁଭମେଣ୍ଟ ଭାବେ ଚର୍ଚ୍ଚାକୁ ଆସିଥିଲା। କିଛି ସପ୍ତାହ ମଧ୍ୟରେ ଏହା ଛାତ୍ର ଓ ଯୁବବର୍ଗ ମଧ୍ୟରେ ବ୍ୟାପକ ଭାବେ ଭାଇରାଲ୍‌ ହୋଇଥିଲା। ରିପୋର୍ଟ ଅନୁସାରେ, ଆନ୍ଦୋଳନଟି ସୋସିଆଲ୍‌ ମିଡିଆରେ ବିଶେଷ କରି ଯୁବବର୍ଗ ମଧ୍ୟରେ ଦ୍ରୁତ ଭାବେ ପ୍ରଚାର ପାଇଛି।

ଜନ୍ତରମନ୍ତରରେ ହୋଇଥିବା ପ୍ରତିବାଦକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ପୋଲିସ ପକ୍ଷରୁ ବାରିକେଡ୍‌ ଲଗାଯାଇଥିଲା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ବିଶେଷ ବ୍ୟବସ୍ଥା ହୋଇଥିଲା। କିଛି ରିପୋର୍ଟ ଅନୁସାରେ, ପ୍ରତିବାଦ ସମୟରେ କିଛି ଲୋକଙ୍କୁ ଅଟକ ରଖାଯାଇଥିଲା। ତେବେ ସମଗ୍ର ପ୍ରତିବାଦକୁ ଶାନ୍ତିପୂର୍ଣ୍ଣ ରଖିବାକୁ CJP ନେତୃତ୍ୱ ପକ୍ଷରୁ ପୁଣିପୁଣି ଅନୁରୋଧ କରାଯାଇଥିଲା।

ଏହି ପ୍ରତିବାଦକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି। କିଛି ବିରୋଧୀ ଦଳ ଏହି ଆନ୍ଦୋଳନ ପ୍ରତି ସମର୍ଥନ ଦେଇଥିବା ବେଳେ ବିଜେପି ଏହାର ରାଜନୈତିକ ପ୍ରଭାବକୁ ଗୁରୁତ୍ୱହୀନ ବୋଲି ଦେଖାଇଛି। ଅନ୍ୟପଟେ, ଆନ୍ଦୋଳନ ସହ ଜଡ଼ିତ ଲୋକମାନେ କହୁଛନ୍ତି ଯେ ଏହା କୌଣସି ପାରମ୍ପରିକ ଦଳୀୟ ରାଜନୀତି ନୁହେଁ, ବରଂ ଛାତ୍ର ଓ ଯୁବଙ୍କ ଅସନ୍ତୋଷର ଏକ ନୂଆ ମାଧ୍ୟମ।

Leave A Reply

Your email address will not be published.