Cockroach Janta Party protest: ଦିଲ୍ଲୀରେ ‘କକ୍ରୋଚ୍ ଜନତା ପାର୍ଟି’ ଫାଉଣ୍ଡର, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜନ୍ତରମନ୍ତର ମୁହାଁ କକ୍ରୋଚ୍…
ନୂଆଦିଲ୍ଲୀ: ଗୋଟିଏ ଶବ୍ଦରୁ ଆରମ୍ଭ ହୋଇଥିବା ଅଭିଯାନ ଏବେ ସରକାରଙ୍କୁ ଘେରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଜନ୍ତରମନ୍ତର ଠାରେ ଏକାଠି ହେଉଛନ୍ତି କକ୍ରୋଚ୍ । ବାରମ୍ବାର ପ୍ରଶ୍ନପତ୍ର ଲିକ୍, ପରୀକ୍ଷାରେ ହେଉଥିବା ଅନିୟମିତତାକୁ ନେଇ ହେବ ଶାନ୍ତିପୂର୍ଣ୍ଣ ପ୍ରତିବାଦ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ ଭିଡ଼ ଜମା ହବାରେ ଲାଗିଛି । ସେପଟେ ଭାରତରେ ଆସି ପହଞ୍ଚିସାରିଛନ୍ତି ବ୍ୟଙ୍ଗାତ୍ମକ ଅନଲାଇନ୍ “କକ୍ରୋଚ ଜନତା ପାର୍ଟି”ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ । କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ସକାଳ ପ୍ରାୟ ୭ଟା ୩୫ ମିନିଟ୍ ସମୟରେ ଆମେରିକାରୁ ଦିଲ୍ଲୀରେ ପହଞ୍ଚିଛନ୍ତି । ଆଜି ଜନ୍ତର ମନ୍ତରରେ ଆୟୋଜିତ ପ୍ରତିବାଦରେ ସେ ସାମିଲ ହେବାକୁ ଯାଉଛନ୍ତି । ଯେଉଁଥିପାଇଁ ଜନ୍ତରମନ୍ତରରେ ଯୁବଗୋଷ୍ଠୀଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳୁଛି ।
ଏହି ସମୟରେ ଦିଲ୍ଲୀର IGI ବିମାନବନ୍ଦରରେ ଅବତରଣ କରିବା ପରେ, ସେ X ରେ ପୋଷ୍ଟ କରି ଯୁବଗୋଷ୍ଠୀଙ୍କୁ ଆହ୍ବାନ ଦେଇଥିଲେ । କହିଥିଲେ, “ଅବତରଣ ଶେଷ । ଜନ୍ତର ମନ୍ତରରେ ଆପଣ ସମସ୍ତଙ୍କୁ ଭେଟିବାକୁ ଅପେକ୍ଷା କରିଛି । ଏକ ପୁସ୍ତକ ଏବଂ ଆମର ତ୍ରିରଙ୍ଗା ଆଣିବାକୁ ଭୁଲନ୍ତୁ ନାହିଁ ! ସହାନୁଭୂତି ଏବଂ କୃତଜ୍ଞତାର ପ୍ରତୀକ ଭାବରେ ପୁଲିସ କର୍ମଚାରୀମାନଙ୍କୁ ଫୁଲ ଉପହାର ଦିଅନ୍ତୁ । ଆମକୁ ପ୍ରେମ ଏବଂ ଶାନ୍ତି ସହିତ ଏହି ଆନ୍ଦୋଳନର ନେତୃତ୍ୱ ନେବାକୁ ପଡିବ ।
ତେବେ କହିରଖୁଛୁ, ଶନିବାର NEET, CBSE, CUET ଭଳି ପରୀକ୍ଷାମାନଙ୍କରେ ହୋଇଥିବା ଅନିୟମିତତା ପାଇଁ ଆଜି ଦିଲ୍ଲୀ ଜନ୍ତରମନ୍ତର ଠାରେ ପ୍ରତିବାଦ କରୁଛି “କକ୍ରୋଚ୍ ଜନତା ପାର୍ଟି” । ଏହି ସପ୍ତାହର ଆରମ୍ଭରେ, ଏହି ଅଭିଯାନର ପ୍ରତିଷ୍ଠାତା ଅଭିଜିତ୍ ଘୋଷଣା କରିଥିଲେ ଯେ ସେ ପରୀକ୍ଷା ସମ୍ବନ୍ଧୀୟ ଭୁଲ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରିବା ପାଇଁ ଜୁନ୍ ୬ରେ ବୋଷ୍ଟନରୁ ଭାରତ ଫେରିବେ। ଶିକ୍ଷା ସଂସ୍କାରକ ଏବଂ ଜଳବାୟୁ କର୍ମୀ ସୋନମ୍ ୱାଙ୍ଗଚୁକ୍ କହିଛନ୍ତି ଯେ ଯଦି ମନ୍ତ୍ରୀ ପ୍ରଧାନ ଜୁନ୍ ୫ ସୁଦ୍ଧା ଇସ୍ତଫା ନ ଦିଅନ୍ତି ତେବେ ସେ ପ୍ରତିବାଦରେ ଯୋଗଦେବେ।
ବିରୋଧକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ପୋଲିସ ଅଧିକାରୀମାନେ ସୂଚିତ କରିଛନ୍ତି ଯେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ସୀମାନ୍ତ ପ୍ରବେଶ ସ୍ଥାନ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ଅତିରିକ୍ତ କର୍ମଚାରୀ ନିୟୋଜିତ କରାଯାଇଛି। ପୋଲିସ୍ “କକ୍ରୋଚ ଜନତା ପାର୍ଟି”କୁ ପ୍ରତିବାଦ କରିବାକୁ ଅନୁମତି ଦେଇ ଦେଇଥିବା ବେଳେ ଜନ୍ତରମନ୍ତର ଠାରେ ଭିଡ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟି ରଖି, ରାଜଧାନୀ ଅଞ୍ଚଳରେ ୧୦୦୦ ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ପୋଲିସ କେନ୍ଦ୍ରୀୟ ଦିଲ୍ଲୀକୁ ୧୨ ଟି ଜୋନରେ ବିଭକ୍ତ କରିଛି, ପ୍ରତ୍ୟେକ ଜୋନର ନେତୃତ୍ୱ ଜଣେ ଡିସିପି-ପଦବୀ ଅଧିକାରୀ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ମନ୍ତ୍ରୀଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ।