ଭୁବନେଶ୍ୱର: ଆସନ୍ତା ଦୁଇ ସପ୍ତାହ ଯାଏ, ଅର୍ଥାତ୍ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଥଣ୍ଡାରୁ ନିସ୍ତାର ନାହିଁ। ସ୍ୱାଭାବିକ ତାପମାତ୍ରାଠାରୁ ପାଖାପାଖି ୬ ଡିଗ୍ରୀ ତଳକୁ ଖସିଯିବ ସର୍ବନିମ୍ନ ତାପମାତ୍ରା। ପାଣିପାଗ ବିଭାଗ ଏମିତି ଆକଳନ କରିଛି। କାଲୁଆ ପାଗରେ ଜାଡ଼ ପାଲଟିଯିବ ସାରା ରାଜ୍ୟ। ପୂର୍ବାନୁମାନ ସତ ହେଲେ ୯ରୁ ୧୪ ତାରିଖ ଯାଏ ଶୀତ ଲହରୀ ସ୍ଥିତି ରହିବ। ୯ ଓ ୧୦ ତାରିଖରେ ଥଣ୍ଡା ଅଧିକ ରହିବ। ଏହି ସପ୍ତାହରେ ଶୀତ ଲହରୀ ରହିବାର ସମ୍ଭାବନା ୬୮ରୁ ୧୦୦% ରହିଛି।
୧୩ରୁ ୧୫ ତାରିଖ ଯାଏ ଘନ କୁହୁଡ଼ି ରହିପାରେ ବୋଲି ମଧ୍ୟ ବିସ୍ତାରିତ ଆକଳନରେ କୁହାଯାଇଛି। ସେହିଭଳି ୧୫ରୁ ୨୧ ତାରିଖ ଯାଏ ଶୀତ ଲହରୀ ସମ୍ଭାବନା ଅଛି। ଏହି ସପ୍ତାହରେ ପୂର୍ବ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ସମୟର ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଯାଏ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ୫ରୁ ୬ଡିଗ୍ରୀ ତଳେ ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ କମ ରହିଛି। କିଛି କିଛି ସ୍ଥାନରେ ଶୀତଲହରୀ ନେଇ ଚେତାବନୀ ଜାରି ହୋଇଛି। ଆଜି ଶୀତଲହରୀ ପାଇଁ ୧୧ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୨ତାରିଖରୁ ପୁଣି ବଢିବ କୁହୁଡ଼ି। ୧୪ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ସହ କିଛି କିଛି ସ୍ଥାନରେ ଘନକୁହୁଡ଼ିର ସମ୍ଭାବନା ରହିଛି।
ମୟୂରଭଞ୍ଜ ଓ ଶିମିଳିପାଳରେ ଶୂନ ହୋଇଗଲା ପାରଦ। ଶିମିଳିପାଳରେ ଉପରବାରା କାମୁଡ଼ାରେ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଚାହାଲାରେ ୨ ଡିଗ୍ରୀ,ବରେହିପାଣିରେ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ମୟୂରଭଞ୍ଜର ଅନ୍ୟ ଅଞ୍ଚଳ ଗୁଡିକରେ ବି ପାରଦ ଖସିଛି। ଦିନ ହେଉ ଅବା ରାତି ଅସହ୍ୟ ଜାଡ଼ରେ ପ୍ରଭାବିତ ହେଇଛି ଜନଜୀବନ।