Latest Odisha News

BREAKING NEWS

ପୁଣି ଓଡ଼ିଶାକୁ ମାଡ଼ି ଆସୁଛି ହାଡ଼ଭଙ୍ଗା ଶୀତ…

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଗତ ସପ୍ତାହେ ହେଲା ରାତିର ତାପମାତ୍ରାରେ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି, ମାତ୍ର ଗତ ୨୪ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରାର ପାରଦ ଧିରେ ଧିରେ ହ୍ରାସ ପାଉଥିବା ଯୋଗୁଁ ଶୀତର ପ୍ରକୋପ ପୁଣି ଥରେ ରାଜ୍ୟବାସୀଙ୍କୁ ଆତଙ୍କିତ କରିବାରେ ଲାଗିଛି । ଏହାଫଳରେ ଶୀତ ଲହରୀ ପୁଣି ଥରେ ଓଡ଼ିଶାକୁ ଫେରିବା ନେଇ ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ସନ୍ଧ୍ୟାରେ ସୂଚନା ପ୍ରଦାନ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ପ୍ରକାଶିତ ଏକ ସୂଚନାନୁଯାୟୀ, ଓଡ଼ିଶାର ଉପର ଭାଗଦେଇ ଚାପ ସୃଷ୍ଟି ହେବା ଯୋଗୁଁ ଉତ୍ତର ଭାଗରୁ ବହୁଥିବା ପବନରେ ବାଧା ସୃଷ୍ଟି ହୋଇଛି । ଏହାଫଳରେ ସମଗ୍ର ଓଡ଼ିଶାରେ ଶୀତଳ ପବନ ବହିବା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।

ପାଣିପାଗ କେନ୍ଦ୍ରର ସଦ୍ୟ ସୂଚନାନୁସାରେ, ମଧ୍ୟ ଓଡ଼ିଶାର କେତେକାଂଶରେ ତାପମାତ୍ରା ହ୍ରାସ ପାଇ ପାରଦ ୧୦ ଡ଼ିଗ୍ରୀ ତଳେ ରହିବାର ସମ୍ଭାବନା ରହିବା ସହିତ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ରାତିର ତାପମାତ୍ରା ୧ରୁ ୨ ଡ଼ିଗ୍ରୀକୁ ହ୍ରାସ ପାଇବାର ସମ୍ଭାବନା ରହିଛି ।

ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ପ୍ରାୟ ଅଧିକାଂଶ ଜିଲ୍ଲାମାନଙ୍କରେ ଘନ କୁହୁଡ଼ି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ପାଣିପାଗ କେନ୍ଦ୍ର ଉପକୂଳବର୍ତ୍ତୀ ତଥା ଉତ୍ତର ଓଡ଼ିଶାରେ ଏଥିପ୍ରତି ସଜାଗ ରହିବା ସହିତ ଡ୍ରାଇଭର ମାନଙ୍କୁ ଗାଡ଼ି ଚଳାଇଲା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।

ଇତିମଧ୍ୟରେ ମଙ୍ଗଳବାର ଦିନ ରେକର୍ଡ଼ କରାଯାଇଥିବା ରାଜ୍ୟର କେତେକ ସର୍ବନିମ୍ନ ତାପମାତ୍ରା ରହିଥିବା ଅଞ୍ଚଳ ଗୁଡ଼ିକ ହେଉଛି – ତାଳଚେର (୯.୫) ଡ଼ିଗ୍ରୀ, ଅନୁଗୁଳ (୧୨) ଡ଼ିଗ୍ରୀ, ଝାରସୁଗୁଡ଼ା (୧୧.୨) ଡ଼ିଗ୍ରୀ, କେନ୍ଦୁଝର (୧୨.୯) ଡ଼ିଗ୍ରୀ, ସମ୍ବଲପୁର (୧୨.୫) ଡ଼ିଗ୍ରୀ, ସୁନ୍ଦରଗଡ଼ (୧୧) ଡ଼ିଗ୍ରୀ, ବଲାଙ୍ଗୀର (୧୧.୪) ଡ଼ିଗ୍ରୀ, କୋରାପୁଟ (୧୧.୬) ଡ଼ିଗ୍ରୀ, ଫୁଲବାଣୀ (୧୧.୫) ଡ଼ିଗ୍ରୀ, ଟିଟିଲାଗଡ଼ (୧୨.୫) ଡ଼ିଗ୍ରୀ, ସୋନପୁର (୧୨.୫) ଡ଼ିଗ୍ରୀ, ଦାରିଙ୍ଗୀବାଡ଼ି (୧୧.୫) ଡ଼ିଗ୍ରୀ ସେଲସିୟସ ।

Leave A Reply

Your email address will not be published.