Latest Odisha News

BREAKING NEWS

‘ସୁନ୍ଦରୀ’ ବାଘୁଣୀ ପୁଣି ସାତକୋଶିଆ ଜଙ୍ଗଲରେ ବୁଲିବ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ରାଜ୍ୟ ସରକାରଙ୍କ ବନବିଭାଗ ପୁଣି ଥରେ ବାଘୁଣୀ ସୁନ୍ଦରୀକୁ ଛାଡ଼ିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ (ଏନଟିସିଏ) ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି ।

ବାଘୁଣୀ ‘ସୁନ୍ଦରୀ’କୁ ସାତକୋଶିଆ ଅଭୟାରଣ୍ୟର ଜଙ୍ଗଲରେ ଛଡ଼ାଯିବା ପରେ ତାକୁ ଜଙ୍ଗଲ ମଧ୍ୟରେ କଡ଼ା ନଜର ତଥା ଘଣ୍ଟାକୁ ଘଣ୍ଟା ନିରୀକ୍ଷଣ କରିବାକୁ କୁମକି ହାତୀ ‘ଯଶୋଦା’କୁ ଜଙ୍ଗଲ ମଧ୍ୟରେ ଛଡ଼ାଯିବ । ସେଥିଲାଗି ମଙ୍ଗଳବାର ଦିନ ପୋଷା ହାତୀ ‘ଯଶୋଦା’କୁ ଭୁବନେଶ୍ୱର ଉପକଣ୍ଠସ୍ଥ ଚନ୍ଦକା ଅଭୟାରଣ୍ୟସ୍ଥିତ ଗୋଡ଼ିବାରୀ ଗ୍ରାମରୁ ସାତକୋଶିଆ ଜଙ୍ଗଲକୁ ଏକ ଟ୍ରକ ଯୋଗେ ଅଣାଯାଇଛି । ପରବର୍ତ୍ତୀ ସମୟରେ ଆଉ କିଛି ପୋଷା ହାତୀଙ୍କୁ ସାତକୋଶିଆ ଜଙ୍ଗଲକୁ ଅଣାଯିବାର ବ୍ୟବସ୍ଥା ଚାଲିଛି । ହାତୀ ‘ଯଶୋଦା’ ସମେତ ଅନ୍ୟ ହାତୀଗୁଡ଼ିକ ମଧ୍ୟ ବାଘୁଣୀ ସୁନ୍ଦରୀକୁ ନିରୀକ୍ଷଣ କରିବେ । ଏହି ହାତୀଗୁଡ଼ିକ ସାକକୋଶିଆକୁ ଆସିବା ପରେ ସୁନ୍ଦରୀକୁ ଏନକ୍ଲୋଜରରୁ ବାହାର କରାଯାଇ ଜଙ୍ଗଲରେ ଛଡ଼ାଯିବ ବୋଲି ବନବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ବନବିଭାଗ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି, ସାତକୋଶିଆରେ ବାନ୍ଧବଗଡ଼ରୁ ଏକ ବାଘ ମହାବୀରକୁ ଅଣାଯାଇଥିଲା । ମହାବୀର ବାଘର ମିଳନ ପୂର୍ବରୁ ରହିଥିବା ଏକ ବାଘୁଣୀ ସହିତ ହେବାରୁ ବାଘୁଣୀଟି ୨ଟି ଛୁଆ ଦେଇଥିଲା । ତେବେ ଗତବର୍ଷ ନଭେମ୍ବର ୧୫ ତାରିଖରେ ମହାବୀର ବାଘର ଅଭୟାରଣ୍ୟ ମଧ୍ୟରେ ମୃତ୍ୟୁ ଘଟିଥିଲା । ଫଳରେ ବାଘୁଣୀଟି କ୍ରମେ ଭୟଙ୍କର ହୋଇଉଠିଥିଲା । ତେଣୁ ଏହି ବାଘୁଣୀଟିକୁ ମଧ୍ୟ କଡ଼ା ନଜରରେ ରଖିବାକୁ ଯଶୋଦା ହାତୀର ଆବଶ୍ୟକତା ପଡ଼ିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ବାଘୁୁଣୀ ସୁନ୍ଦରୀକୁ ଜଙ୍ଗଲରେ ଛଡ଼ାଯିବା ପରେ ହାତୀବାରୀ ଗ୍ରାମରେ ବାଘୁଣୀ ଆକ୍ରମଣରେ ଜଣେ ମହିଳା, ଟାଇସୀ ଗାଁରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ।

ସେହି ସମୟରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ବାଘୁଣୀକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯିବ ବୋଲି ସୂଚନା ଦେଇଥିଲେ ।

Leave A Reply

Your email address will not be published.