ଭୁବନେଶ୍ଵର: ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିବ । ସେପଟେ ସକାଳୁ ସକାଳୁ ଟ୍ଵିନ ସିଟିରେ ଦେଖିବାକୁ ମିଳିଛି ଘନ କୁହୁଡି । ଆଗକୁ ଆହୁରି ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାନିପାଗ ବିଭାଗ । ଘନ କୁହୁଡି ନେଇ ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ବେଳେ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସିଆସିବା ନେଇ ପୂର୍ବାନୁମାନ କରିଥିଲା ବିଭାଗ ।
ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ କିଛି ଥଣ୍ଡା ପବନ ପ୍ରବାହିତ ହୋଇପାରେ । ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ସ୍ଥିତି ଉପୁଜିବା ସହ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ଯାଏ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ ।
ସେପଟେ ଗତକାଲି ଜି.ଉଦୟଗିରିରେ ରାତି ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୮.୫, ଦାରିଙ୍ଗବାଡ଼ିରେ ୯, ରାଉରକେଲା ୧୦.୩, କେନ୍ଦୁଝର ୧୦.୪ ଓ ଭୁବନେଶ୍ୱରରେ ୧୨.୩ ଡିଗ୍ରୀ ରେକର୍ଡ ହୋଇଛି ।
Comments are closed.