ନୂଆଦିଲ୍ଲୀ: ଯାଆଁଳା ସନ୍ତାନ ଜନ୍ମ ହେଲେ ବି ସେମାନଙ୍କ ବାପା ଜଣେ ହୋଇଥାନ୍ତି। କିନ୍ତୁ ବିଜ୍ଞାନ ଜଗତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। କୋଲମ୍ବିଆର ଜଣେ ମହିଳା ଦୁଇଟି ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି ସତ, କିନ୍ତୁ ସେମାନଙ୍କ ବାପା ଜଣେ ନୁହଁନ୍ତି ବରଂ ଦୁଇଜଣ ଅଲଗା ଅଲଗା ପୁରୁଷ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ଶହେ ପ୍ରତିଶତ ସତ।
ଘଟଣାଟି ଘଟିଥିଲା କୋଲମ୍ବିଆରେ। ଜଣେ ମହିଳା ନିଜ ଯମଜ ଶିଶୁଙ୍କ ପିତୃତ୍ୱ ପରୀକ୍ଷା ପାଇଁ ‘ନ୍ୟାସନାଲ ୟୁନିଭର୍ସିଟି ଲ୍ୟାବ୍’ରେ ପହଞ୍ଚିଥିଲେ। ଡାକ୍ତରମାନେ ଯେତେବେଳେ DNA ଟେଷ୍ଟ କଲେ, ସେମାନଙ୍କର ହୋସ୍ ଉଡ଼ିଗଲା। ଟେଷ୍ଟ ରିପୋର୍ଟ କହୁଥିଲା କି ଉଭୟ ଶିଶୁଙ୍କ ମା’ ସମାନ, ହେଲେ ସେମାନଙ୍କ ବାପା ଅଲଗା। ପ୍ରଥମେ ଡାକ୍ତରମାନଙ୍କୁ ଏହା ଏକ ଭୁଲ ବୋଲି ମନେ ହୋଇଥିଲା, କିନ୍ତୁ ବାରମ୍ବାର ପରୀକ୍ଷା ପରେ ସେମାନେ ଏକ ବଡ଼ ସତ୍ୟର ସାମ୍ନା କରିଥିଲେ।
ଚିକିତ୍ସା ବିଜ୍ଞାନ ଭାଷାରେ ଏହାକୁ କୁହାଯାଏ ‘ହେଟେରୋପ୍ୟାଟର୍ନାଲ୍ ସୁପରଫେକଣ୍ଡେସନ୍’। ଏହା ଦୁନିଆର ଏକ ଅତି ବିରଳ ଘଟଣା। ସାରା ବିଶ୍ୱରେ ଏପର୍ଯ୍ୟନ୍ତ ମାତ୍ର ୨୦ଟି ଏଭଳି ମାମଲା ସାମ୍ନାକୁ ଆସିଛି।
ତେବେ କେମିତି ହୁଏ ଏହା ? ସାଧାରଣତଃ ଜଣେ ମହିଳାଙ୍କ ମେନଷ୍ଟ୍ରୁଆଲ୍ ସାଇକେଲରେ ଗୋଟିଏ Egg ନିର୍ଗତ ହୋଇଥାଏ। କିନ୍ତୁ କିଛି ଦୁର୍ଲଭ ପରିସ୍ଥିତିରେ ଦୁଇଟି Egg ମଧ୍ୟ ନିର୍ଗତ ହୋଇଥାଏ। ଯଦି ସେହି ମହିଳା ଖୁବ୍ କମ୍ ସମୟ ବ୍ୟବଧାନରେ ଦୁଇଜଣ ଅଲଗା ଅଲଗା ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି, ତେବେ ଉଭୟ Egg ଅଲଗା ଅଲଗା ଶୁକ୍ରାଣୁ ଦ୍ୱାରା ଫର୍ଟିଲାଇଜ୍ ହୋଇଯାନ୍ତି। ଫଳରେ ଗର୍ଭାଶୟରେ ଦୁଇଟି ଶିଶୁ ବଢ଼ନ୍ତି, ଯାହାର ମା’ ଜଣେ କିନ୍ତୁ ବାପା ଦୁଇଜଣ ହୋଇଥାନ୍ତି।
ବିଶେଷଜ୍ଞଙ୍କ କହିବା କଥା, ଏହା ଏକ ଚମତ୍କାର ପରି ମନେ ହେଉଥିଲେ ମଧ୍ୟ ବାସ୍ତବରେ ଏହା ବାୟୋଲୋଜିକାଲି ସମ୍ଭବ। କିନ୍ତୁ ଏହାର ସମ୍ଭାବନା ଏତେ କମ୍ ଯେ, ଏହାକୁ ଦେଖିବା ପାଇଁ ବୈଜ୍ଞାନିକମାନଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼େ। କୋଲମ୍ବିଆର ଏହି ଘଟଣା ଏବେ ସାରା ବିଶ୍ୱର ବିଜ୍ଞାନୀଙ୍କ ପାଇଁ ଏକ ବଡ଼ ଗବେଷଣାର ବିଷୟ ପାଲଟିଛି।