Latest Odisha News

ଭୁବନେଶ୍ୱରର ୪୩ଟି ସ୍ଥାନରେ ଓ କଟକର ୨୫ଟି ସ୍ଥାନରେ ପୋଲିସର ନାକାବନ୍ଦୀ

ଭୁବନେଶ୍ୱର: ଟ୍ୱିନ୍ ସିଟିରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି । ଶନିବାର ସକାଳୁ ସପ୍ତାହନ୍ତ ସଟଡାଉନ୍ ଆରମ୍ଭ ହୋଇ ସୋମବାର ସକାଳ ଯାଏ ବଳବତ୍ତର ରହିବ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଟ୍ୱିନସିଟିରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ଶନିବାର ଓ ରବିବାର ସକାଳ ୫ଟାରୁ ୬ଟା ଯାଏ ମର୍ଣ୍ଣିଂ ୱାକ୍ ପାଇଁ ଗୋଟିଏ ଘଣ୍ଟା କଟକଣା କୋହଳ କରାଯିବ । ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ବ୍ୟକ୍ତି ବିଶେଷଙ୍କୁ ବାଦ୍ ଦେଲେ ଅନ୍ୟ କାହାରିକୁ ଛଡ଼ା ଯିବନାହିଁ । ପୋଲିସ ପରିଚୟପତ୍ର ଦେଖି ସେମାନଙ୍କୁ ଯିବାକୁ ଅନୁମତି ଦେବ । କୋଭିଡ୍ କଟକଣାର କଡ଼ା ଅନୁପାଳନ ଓ ନିୟମକୁ କଠୋର ଭାବେ କାର୍ଯ୍ୟ କରିବାକୁ କମିଶନରେଟ୍ ପୋଲିସ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି ।

କଟକର ୨୫ଟି ଏବଂ ଭୁବନେଶ୍ୱରର ୪୩ଟି ସ୍ଥାନରେ ପୋଲିସ ପକ୍ଷରୁ ନାକାବନ୍ଦୀ କରାଯାଇଛି । ନାକାବନ୍ଦୀ ସମୟରେ ଲୋକଙ୍କ ଯାତାୟତ ଉପରେ ନଜର ରଖାଯିବ । ପୋଲିସ୍ ପାଟ୍ରୋଲିଂ କରି ସଟଡାଉନକୁ ଠିକ୍ ଭାବେ କାର୍ଯ୍ୟ କରିବ । ଲୋକମାନେ ଏଥିରେ ପୋଲିସକୁ ସହଯୋଗ କରିବାକୁ ପୋଲିସ କମିଶନର ଅପିଲ୍ କରିଛନ୍ତି । ନିୟମ ଉଲ୍ଲଂଘନ କଲେ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ।

Leave A Reply

Your email address will not be published.