ଭୁବନେଶ୍ୱର: ରାଜଧାନୀରେ ନକଲି ଗାଡି ପାର୍ଟସ ବିକ୍ରି। ବଡ଼ଗଡ଼ ଥାନା ରାଜାରାଣୀ କଲୋନୀରେ ଠାବ ହେଲା ଏହି କଳାକାରବାରର ହବ୍। କମିଶନରେଟ୍ ପୋଲିସ ହୋଣ୍ଡା, ଟିଭିଏସ୍ର ନକଲି ପାର୍ଟସ, ନକଲି ଇଞ୍ଜିନ ଅଏଲ୍ ଆଦି କାରବାର କରୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି।
ସୂତ୍ର ଅନୁଯାୟୀ, ଏହି ବେଆଇନ ବାଣିଜ୍ୟ କେନ୍ଦ୍ର ନକଲି ଇଞ୍ଜିନ ଅଏଲ ସହିତ ହୋଣ୍ଡା ଏବଂ ଟିଭିଏସ ଭଳି ଲୋକପ୍ରିୟ ବ୍ରାଣ୍ଡର ନକଲି ସ୍ପେୟାର ପାର୍ଟସ ବିକ୍ରୟ କରିବାରେ ସମ୍ପୃକ୍ତ ଥିଲା। ନକଲି ଇଞ୍ଜିନ ଅଏଲ୍ ପାଇଁ ବ୍ୟବହୃତ ପ୍ୟାକେଜିଂ ସାମଗ୍ରୀ, ଡବା, ଷ୍ଟିକର, କଣ୍ଟେନର ଜବତ କରିଛି ବଡ଼ଗଡ଼ ପୋଲିସ। ଏକେ ଅଟୋ ଏକ୍ସେସିରିଜରୁ ହୋଇଛି ଏହିସବୁ ସାମଗ୍ରୀ। ଏହି ସ୍ଥାରେ ଜଏଣ୍ଟ ରେଡ ଚାଲିଥିବା ନେଇ ସୂଚନା ଦେଇଛନ୍ତି ବଡ଼ଗଡ଼ ଆଇଆଇସି ତୃପ୍ତି ରଞ୍ଜନ ନାୟକ।
ଆଇଆଇସିଙ୍କ କହିବା କଥା ହେଲା, ଏହି ସ୍ଥାନରୁ ୧୦ରୁ ୧୫ ଲକ୍ଷ ଟଙ୍କାର ସାମାନ ଜବତ ହୋଇଛି। ନକଲି ମୋବିଲ, ଟିଭିଏସ, ହୋଣ୍ଡାର ଗାଡି ପାର୍ଟସ୍ ଜବତ କରାଯାଇଛି। ଏହି ରେଡରେ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଏହି ମାମଲାରେ ଏଫଆଇଆର ହେବା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ। ଏହାସହ ଏହି ଘଟଣାରେ କିଏ କିଏ ସଂମ୍ପୃକ୍ତି ଅଛନ୍ତି ସେନେଇ ମଧ୍ୟ ଜଣାପଡିବ।
ଏହି ସମୟରେ, କର୍ତ୍ତୃପକ୍ଷ ଗାଡ଼ି ମାଲିକମାନଙ୍କୁ ସ୍ପେୟାର ପାର୍ଟସ ଏବଂ ଇଞ୍ଜିନ ତେଲ କିଣିବା ସମୟରେ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି, କାରଣ ନିମ୍ନମାନର ଉତ୍ପାଦ ଗୁରୁତର କ୍ଷତି କରିପାରେ। ଡୁପ୍ଲିକେଟ ପାର୍ଟସ ଦୁର୍ଘଟଣା ବିପଦକୁ ୪୭% (ବ୍ରେକ୍ ଫେଲ୍ୟୁର୍) ବୃଦ୍ଧି କରେ, ଯାନର ଆୟୁଷ ୩୦-୪୦% ହ୍ରାସ କରେ ଏବଂ ୨୨% ଅଧିକ ନିର୍ଗମନ ସୃଷ୍ଟି କରେ। ଅଟୋମୋଟିଭ୍ କମ୍ପୋନେଣ୍ଟ ମ୍ୟାନୁଫ୍ୟାକଚର୍ସ ଆସୋସିଏସନ୍ ଆକଳନ କରେ ଯେ ଭାରତରେ ୩୬% ଗାଡ଼ି ପାର୍ଟସ ନକଲି।
Comments are closed.