ଭୁବନେଶ୍ବର: ଲଗାତାର କିଛି ଦିନ ହେବ ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ବରେ ଥିବା ଆପାର୍ଟମେଣ୍ଟ ଗୁଡିକ । ପ୍ରତ୍ୟେକ ସପ୍ତାହ ଭିତରେ ଯେ କୌଣସି ଆପାର୍ଟମେଣ୍ଟରେ ଚୋରି, ଡକାୟତି ଓ ଲୁଟ୍ ର ଖବର ସାମ୍ନାକୁ ଆସୁଛି । ଫଳରେ ସମସ୍ତ ରାଜଧାନୀବାସୀ ବିଶେଷ କରି ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ଭିତରେ ଏକ ପ୍ରକାର ଭୟର ବାତ୍ତାବରଣ ଦେଖିବାକୁ ମିଳୁଛି ।
ତେବେ ଏହା ଭିତରେ ଏକ ଆଶ୍ବସ୍ତି କର ଖବର ସାମ୍ନାକୁ ଆସିଛି । ଏହି ଚୋର ଓ ଲୁଟେରାଙ୍କୁ କାବୁ କରିବାକୁ କମିଶନରେଟ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଛି । ୧୫୦ ଜଣ ବଛାବଛା ପୋଲିସ ଅଧିକାରୀଙ୍କୁ ନେଇ ଏହି ଟିମ୍ ଗଠନ ହୋଇଛି । ଏହି ଟିମ୍ ରାତିତମାମ ଚେକିଂ ଓ ବ୍ଳକିଂ ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରୁଛି ବୋଲି ଆଜି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର ।
ଭୁବନେଶ୍ବର ସହର ସହ ଏହାର ଉପକଣ୍ଠରେ ମଧ୍ୟ କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ପଇଁତରା ମାରୁଛି । ଏନେଇ ଏକ ହ୍ବାଟସଆପ୍ ଗ୍ରୁପ ମଧ୍ୟ ଗଠନ ହୋଇଛି । ଯେଉଁଥିରେ ନିଜେ ଡିସିପି ଏହି ଗ୍ରୁପର ଆଡମିନ୍ ଅଛନ୍ତି । ସମସ୍ତ ଥାନାର ଥାନାଧିକାରୀଙ୍କ ସହ ଆପାର୍ଟମେଣ୍ଟର ସଭାପତି ଓ ସେକ୍ରେଟାରିମାନେ ମଧ୍ୟ ଏହି ଗ୍ରୁପରେ ରହିଛନ୍ତି ।
ଆପାର୍ଟମେଣ୍ଟର ପାଖରେ କୌଣସି ଅଜାଣା ବ୍ୟକ୍ତିଙ୍କ ସନ୍ଦେହ ଜନକ ହାବଭାବ ଦେଖିଲେ ଖବରପାଇ ତୁରନ୍ତ ଉକ୍ତ ଟିମ୍ ସେହି ସ୍ଥାନରେ ପହଞ୍ଚୁଛି । କିଛି ସନ୍ଦିଗ୍ଧଙ୍କୁ ମଧ୍ୟ କାବୁ କରାଯାଇଛି । ଯେଉଁମାନେ ଦିନରେ ମଜୁରିଆ କାମ କରୁଛନ୍ତି ଏବଂ ରାତିରେ ଲୁଟ୍ପାଟ୍ କରୁଥିବା ଜଣାପଡିଛି ବୋଲି ଡିସିପି କହିଛନ୍ତି ।
Comments are closed.