Latest Odisha News

BREAKING NEWS

ଯାଁଳା ଫାଣ୍ଡିରେ କାର୍‌ରୁ ନରକଙ୍କାଳ ମିଳିବା ଘଟଣା: ମହିଳାଙ୍କ ସ୍କେଚ୍‌ ଜାରି କରିଛି କମିଶନରେଟ୍‌ ପୋଲିସ 

ଭୁବନେଶ୍ବର: ଖୋର୍ଦ୍ଧା ଯାଁଳା ଫାଣ୍ଡିରୁ ଜବତ କାର ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା । ଘଟଣାରେ ପୋଲିସ ଛାନଭିନ୍‌ ଜୋରଦାର କରିଛି । ମହିଳାଙ୍କ ସ୍କେଚ୍‌କୁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଜାରି କରାଯାଇଛି । ବେଙ୍ଗାଲୁରୁର ଏକ ଫୋରେନସିକ୍‌ ଲ୍ୟାବ୍‌ ପକ୍ଷରୁ ମହିଳାଙ୍କ ସ୍କେଚ୍‌ କରାଯାଇଛି । ମହିଳାଙ୍କ ପରିଚୟ ଖୋଜିବାକୁ ସର୍ବସାଧାରଣ ସ୍ଥାନରେ ଏହି ସ୍ଚେଚ୍ ଲଗାଯିବ ବୋଲି ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି ।

ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିନଥିବାରୁ ଏହା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ହାଇଦ୍ରାବାଦ୍‌ ସ୍ଥିତ ସିଏଫ୍‌ଏସ୍‌ଏଲ୍‌ ଲ୍ୟାବ୍‌ ପକ୍ଷରୁ ଏକ ସ୍କେଚ୍‌ କମିଶନରେଟ୍‌ ପୁଲିସ୍‌କୁ ପଠାଯାଇଥିଲା । କିନ୍ତୁ ଏଥିରୁ ସ୍କଲ ମ୍ୟାପିଂ ପ୍ରକ୍ରିୟାରେ ମୁହଁ ପୁନର୍ଗଠନ କରିବାରେ କଷ୍ଟ ହୋଇଥିଲା । ଏହାପରେ ମହିଳାଙ୍କ ସ୍କେଲିଟନ୍‌ର ଫଟୋ ବେଙ୍ଗାଲୁରୁର ଏକ ବେସରକାରୀ ସଂସ୍ଥାର ଲ୍ୟାବ୍‌କୁ ପଠାଯାଇଥିଲା । ଏହି ଫଟୋକୁ ଦେଖି ଏକ୍ସପର୍ଟମାନେ ମହିଳାଙ୍କ ସ୍କେଚ୍‌ ତିଆରି କରିଛନ୍ତି । ଏହି ସ୍କେଚ୍‌ ମୃତ ମହିଳାଙ୍କୁ ଚିହ୍ନଟ କରିବାକୁ ସହାୟତା କରିବ ବୋଲି ପୋଲିସ ଆଶା ବାନ୍ଧିଛି । ମହିଳାଙ୍କ ପରିଚୟ ଜାଣିବା ପାଇଁ ସ୍ବତନ୍ତ୍ର ଟିମ୍‌ ଚେଷ୍ଟା ଚଳାଇଥିବା ଡିସିପି ସୂଚନା ଦେଇଛନ୍ତି ।

୨୦୧୯ରେ ବେଆଇନ୍‌ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୋଲିସ ମହିନ୍ଦ୍ରା ଗାଡିକୁ ସିଜ୍‌ କରିଥିଲା । ସେବେଠୁ ଗାଡ଼ିଟି ଯାଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା । ଗତ ଫେବୃଆରୀ ୧୨ରେ ଏହି ମହିନ୍ଦ୍ରା ଗାଡି ଭିତରୁ ଏକ କଙ୍କାଳ ଉଦ୍ଧାର ହୋଇଥିଲା । ସାଇଣ୍ଟିଫିକ୍‌ ଟିମ୍‌ ଏମ୍‌ସକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣେ ମହିଳାଙ୍କ କଙ୍କାଳ ଏବଂ ବୟସ ପ୍ରାୟ ୪୫ ବର୍ଷ ବୋଲି ଜଣାପଡିଥିଲା । ଘଟଣାରେ ଯାଁଳା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବନ କରାଯାଇଛି ।

Leave A Reply

Your email address will not be published.