ରାଜ୍ୟରେ ଗଠନ ହେଲା କରୋନା କମିଟି
ଭୁବନେଶ୍ବର : ମହାରାଷ୍ଟ୍ର ସମେତ ଦେଶର କିଛି ରାଜ୍ୟରେ ଦୃତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଏଥିପାଇଁ ଲୋକଙ୍କ ମନରେ ପଶିଲାଣି ଛନକା । ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ, ରାଜ୍ୟରେ ସତର୍କ ହୋଇଉଠିଛି ସ୍ବାସ୍ଥ୍ୟ ବିଭାଗ । କରୋନା ମହାମାରୀକୁ ଦେଖି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଆରଏମଆରସି ନିର୍ଦ୍ଦେଶକ, ଆଇଏଲଏସ୍ ନିର୍ଦ୍ଦେଶକଙ୍କୁ ନେଇ ଗଠନ ହୋଇଛି କରୋନା କମିଟି । ବାହାର ରାଜ୍ୟର ପ୍ରଭାବ ଯେପରି ଓଡ଼ିଶା ଉପରେ ନପଡେ, ସେଥିପାଇଁ ଗୁରୁତ୍ବ ଦିଆଯାଉଛି । ୫ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ସତର୍କ ନଜର ରଖାଯାଇଛି ।
ଆସନ୍ତା ସୋମବାରରୁ ରାଜ୍ୟରେ ଦୈନିକ ଟିକାକରଣ ୧ ଲକ୍ଷରେ ପହଞ୍ଚିବ ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ସେହିଭଳି ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ପଞ୍ଜାବ ଓ ଗୁଜରାଟ ଭଳି ୫ଟି ରାଜ୍ୟରୁ ଓଡ଼ିଶା ଆସିବାକୁ ହେଲେ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ଏହିସବୁ ରାଜ୍ୟରୁ ଆସୁଥିବା ଲୋକ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବାରୁ, ସଂକ୍ରମଣକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ବିଭାଗ ।
Comments are closed.