Latest Odisha News

ପ୍ରଜାଙ୍କ ପାଇଁ କେତେଦିନ ବନ୍ଦ ରହିବ ରାଜାଙ୍କ ଦୁଆର ?

ଭୁବନେଶ୍ୱର:ଦୁଃଖୀ, ଅଭାବୀ ମଣିଷଟିଏ ନିଜର ଦୁଃଖ କାହାକୁ ଜଣାଇବ ? ଭଗବାନଙ୍କ ପରେ ରାଜାଙ୍କୁ ହିଁ ତ ଜଣାଇବ । ହେଲେ ରାଜାଙ୍କ ପାଖରେ ପହଞ୍ଚିବ କେମିତି ? ଗରିବଙ୍କ ପାଇଁ ରାଜାଙ୍କ ଦ୍ୱାର କ’ଣ ବନ୍ଦ ? ସେଥପାଇଁ କଣ ପ୍ରଜା ଜୀବନକୁ ବାଜି ଲଗେଇ ଆପଣଉଛନ୍ତି ଏମିତି ନିଆରା ଉପାୟ ? ଏକଥା ଆମେ କହୁନୁ । ଦୁଇଦିନ ଧରି ଘଟିଆସୁଥିବା ଘଟଣା ଏହା ହିଁ  ବୟାନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜଣେ ୪୦ ଫୁଟରୁ ଅଧିକ ଉଚ୍ଚ ଟାୱାରକୁ ଚଢ ଆତ୍ମହତ୍ୟା ଧମକ ଦେଇଥିଲା । ଜଣେ ଜୀବନକୁ ବାଜି ଲଗାଇ ମୁଖ୍ୟମନ୍ତ୍ରୀଙ୍କ କାରକେଡ ସାମ୍ନାକୁ ଆସିଯାଇଥିଲା । ଗୋଟିଏ ଘଟଣା ଖୋଦ ରାଜଧାନୀର ଥିବାବେଳେ ଅନ୍ୟଟି ବାଲେଶ୍ୱରର  ।

ଆଜି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତବେଳେ ଜଣେ ଦିବ୍ୟାଙ୍ଗ ଯୁବକ ମୁଖ୍ୟମନ୍ତ୍ରୀଙ୍କ କାରକେଡ ସାମ୍ନାକୁ ଚାଲି ଆସିଥିଲା । ଅବଶ୍ୟ ପୋଲିସ ତାକୁ ତୁରନ୍ତ ଉଠାଇ ନେଇଥିଲା । ତେବେ ଦିବ୍ୟାଙ୍ଗ ଯୁବକ ଜଣକ ନିଜ ଦାବି ଜଣାଇବା ପାଇଁ ଏପରି କରିଥିଲେ । ଯୁବକଙ୍କ ଘର ଖଇରା ବ୍ଲକ ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଭୋଗପୁର ଗାଁରେ । ନାଁ ତାଙ୍କର  ମୃତ୍ୟୁଞ୍ଜୟ ଉପାଧ୍ୟାୟ  ।  ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍‌ ସାର୍‌ଙ୍କୁ ସେ ତାଙ୍କର ଦୁଃଖ ବୁଝିବା ପାଇଁ ଅନୁନୟ ହୋଇ କହିଛନ୍ତି । ସେ କହିଛନ୍ତି, ‘ମୁଁ ଘର ଖଣ୍ଡିଏ ପାଇଁ ବହୁଦିନ ଧରି ଦାବି କରି ଆସୁଛି, ହେଲେ ମିଳୁନି। ଘର ବଦଳରେ ମୋତେ ଖଣ୍ଡେ ପିଲିଥିନ ଧରାଇ ଦେଲେ। ମୋତେ ଘର ଖଣ୍ଡିଏ ଦିଅନ୍ତୁ  ।’

ଗତକାଲି ବିଜ୍ଞାପନ ହୋର୍ଡିଂ ଉପରକୁ ଚଢିଥିବା ବ୍ୟକ୍ତିଜଣକ ଥିଲେ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ। ମୁକ୍ତିକାନ୍ତ ବିଭିନ୍ନ ପ୍ରକଳ୍ପ ଧରି ଧରି ଚାଲିଚାଲି ରାଉରକେଲାରୁ ଭୁବନେଶ୍ୱର ଆସିଥିଲେ । ଲକ୍ଷ୍ୟ ଥିଲା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥାନ୍ତେ ନିଜ ଅଞ୍ଚଳବାସୀଙ୍କ ଦାବି । ୭ ଦିନ ଅପେକ୍ଷା କରିବା ପରେ ବି ସମ୍ଭବ ହେଲାନି । ଶେଷରେ ଆପଣେଇଲେ ସେଇ ଅଭିନବ ଉପାୟ । ବିଜ୍ଞାପନ ହୋର୍ଡିଂ ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଲେ । ଅବଶ୍ୟ ତାଙ୍କୁ ବି ସୁରକ୍ଷିତ ଉଦ୍ଧାର କରାଯାଇଛି ।

ତେବେ କଥା ହେଉଛି, କାହିଁକି ବ୍ୟବସ୍ଥା ଭାଙ୍ଗି ଲୋକେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାକୁ ଚାହୁଁଛନ୍ତି ? ତଳ ସ୍ତରରେ ସମସ୍ୟାର ସମାଧାନ ହୋଇପାରୁନି କି ? ଗଣତନ୍ତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଜନତାଙ୍କ ପାଇଁ ଏତେ ଦୁର୍ଲଭ କାହିଁକି ହେଉଛି ? ସତରେ କ’ଣ ସାଧାରଣ ଲୋକଙ୍କ ପାଇଁ ଛାମୁଙ୍କ ଦ୍ୱାର ଖୋଲିବନି ? ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ । ଏମିତିକି ମୁକ୍ତିକାନ୍ତଙ୍କ ବାପା ବି ଗତକାଲି ଅଭିମାନରେ ଠିକ ଏହା କହି ପୁଅକୁ ବୁଝାଉଥିବା ଶୁଣିବାକୁ ମିଳିଥିଲା ।

Leave A Reply

Your email address will not be published.