Latest Odisha News

ସରକାରୀ ଯୋଜନା ପାଲଟିଛି ପ୍ରହସନ: କାମରେ ଆସୁନି ଅଧାରୁ ଅଧିକ ଗୋଷ୍ଠୀ ଶୌଚାଳୟ

ନୂଆପଡା: ନୂଆପଡା ଜିଲ୍ଲାର ସର୍ବ ପୁରାତନ NAC ହେଉଛି ଖଡ଼ିଆଳ । ହେଲେ ଆବଶ୍ୟକ ମୁତାବକ ଉନ୍ନତି ଦେଖିନାହିଁ ଏହି ସର୍ବପୁରାତନ NAC  । ସରକାରଙ୍କ ଯୋଜନାରେ ଏହି NAC ସାମିଲ ହୋଇଛି ସତ ହେଲେ ସରକାରୀ ବାବୁଙ୍କ ଠିକାଦାର ପ୍ରୀତି ଏଥିରେ ବାଧକ ସାଜିଛି ।  ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଖଡ଼ିଆଳ ସହରକୁ ଶୌଚ ମୁକ୍ତ କରିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଜରିଆରରେ ୨୦୧୭-୧୮ ମସିହାରେ ଖଡ଼ିଆଳ ସହରର ୧୩ ଟି ୱାର୍ଡ ମଧ୍ୟରେ ଗୋଟିଏ ଶୌଚାଳୟ ପ୍ରତି ୪ ଲକ୍ଷ ୫୦ ହଜାର ଟଙ୍କାରେ ୧୬ ଗୋଟି ଶୌଚାଳୟ ନିର୍ମାଣ କରାଯାଇଛି । ୧୬ ଗୋଟି ଶୌଚାଳୟ ମଧ୍ୟରୁ ଦଶଟି କମ୍ୟୁନିଟି ଟଇଲେଟ ଓ ଛଅ ଗୋଟି ପବ୍ଲିକ ଟଇଲେଟ । ମୋଟ ଅଟକଳ ୭୨,୦୦,୦୦୦ (ଲକ୍ଷ) ଟଙ୍କାର ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି । ଏହାର ଉଦ୍ଦେଶ୍ୟ ଯେଉଁ ଲୋକ ମାନଙ୍କ ଘରେ ଶୌଚାଳୟର ସୁବିଧା ନାହିଁ ସେମାନେ ସେହି ଶୌଚାଳୟ ବ୍ୟବହାର କରି ସୁବିଧା ପାଇବା ସହିତ ସହର ସ୍ଵଛ ଓ ସୁନ୍ଦର ରହିବ ।

ସରକାରଙ୍କ ଉଦ୍ଦେଶ୍ୟ ଠିକ ହେଲେ ଦାଇତ୍ୱରେ ଥିବା ଅଧିକାରୀ ଓ ଯନ୍ତ୍ରୀଙ୍କ ଲାଭଖୋର ମନୋବୃତି ଯୋଗୁ ସେଗୁଡିକ କାର୍ଯ୍ୟକ୍ଷମ ହୋଇନ ପାରି ପାଞ୍ଚବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ଖତ ଖାଉଛି । ବର୍ତ୍ତମାନ ଅନେକ ଶୌଚାଳୟର ଚାରି ପାର୍ଶ୍ଵରେ ଲଟା ବୁଦା ବଢି ଶୌଚାଳୟ ସମ୍ପୂର୍ଣ୍ଣ ଢାଙ୍କି ହୋଇ ରହିଛି । ଶୌଚାଳୟ ପାଖରେ ଥିବା ଜନସଧାରଣଙ୍କ ଅଭିଯୋଗ ଅନୁଯାୟୀ ଶୌଚାଳୟ ଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ବିଭାଗୀୟ ଯନ୍ତ୍ରୀ ସମ୍ପୂର୍ଣ୍ଣ ଦେଖାଇ ବିଲ କରିଥିବା ଗୁରୁତର ଅଭିଯୋଗ କରିଛନ୍ତି ।

ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳରେ ନିର୍ମାଣ ହୋଇଥିବା ଅନେକ ଶୌଚାଳୟ ବ୍ୟକ୍ତଗତ ବ୍ୟବହାର ହେଉଥିବା ବେଳେ ଅନେକ ଗୋଷ୍ଠୀ ଶୌଚାଳୟ ଗୋଦାମ ଗୃହ ରେ ପରିଣତ ହୋଇଛି । ସରକାର ଦେୟମୁକ୍ତ  ଶୌଚାଳୟ ପାଇଁ ନିର୍ଦେଶ ଦେଉଥିଲେ ହେଁ ବସଷ୍ଟାଣ୍ଡ ସ୍ଥିତ ଶୌଚାଳୟ ରେ ଦେୟ ଦେବା କୁ ପଡୁଛି । ଶୌଚାଳୟ ଗୁଡିକରେ ମୋଟର, ପାଣି ଟାଙ୍କି ଲାଗିନଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଚୋରି ହୋଇଥିବା ପ୍ରକାଶ କରିଛନ୍ତି । ହେଲେ ଉକ୍ତ ସାମଗ୍ରୀ ଚୋରି ନେଇ ଥାନାରେ ମାମଲା ରୁଜୁ ହୋଇ ନଥିବାରୁ ଜଣାଯାଇଛି ଯେ ସାମଗ୍ରୀ ନଲଗାଇ କେବଳ ବିଲ କରି ଲକ୍ଷ୍ୟାଧିକ ଟଙ୍କା ଆତ୍ମସାତ ହୋଇଛି । ଏନେଇ ଖଡ଼ିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ୟଙ୍କୁ  ପଚାରିବାରୁ ଆମେ ଯଥା ଶୀଘ୍ର ସବୁ ଶୌଚାଳୟ କୁ କାର୍ଯ୍ୟକ୍ଷମ କରିବୁ ଓ ଲୋକ ଙ୍କ ବ୍ୟବହାର ଯୋଗ୍ୟ କରିବୁ ବୋଲି କହିଛନ୍ତି ।

Comments are closed.