Latest Odisha News

BREAKING NEWS

ପରଲୋକରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି: ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ଵର ମହାନ୍ତିଙ୍କ ପରଲୋକ । ତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ତାଙ୍କ ବିୟୋଗରେ ବିଜେଡି ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଏକ ଯୁଗର ଶେଷ ହୋଇଛି । ଏଥିସହ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ହୃଦୟରୁ ଗଭୀର ସମବେଦନା ଜଣାଇଛନ୍ତି । ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବାରେ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ ।

ସେହିପରି ବିଜେଡି ବିଧାୟକ ତଥା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶୋକ ପ୍ରକାଶ କରି ତାଙ୍କ ଏକ୍ସରେ ଲେଖିଛନ୍ତି ଯେ, ଆମ ଦଳର ବରିଷ୍ଠ ନେତା,ପୂର୍ବତନ ବିଧାୟକ ଓ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ଜନସେବାରେ ତାଙ୍କ ଉତ୍ସର୍ଗୀକୃତ ଜୀବନ ଆଦର୍ଶ ଆମ ପାଇଁ ପ୍ରେରଣା । ତାଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଉଛି ବୋଲି ଲେଖିଛନ୍ତି ପ୍ରଣବ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ମହେଶ୍ୱର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରାଜ୍ୟ ରାଜନୀତିରେ ସେ ଜଣେ କୁଶଳୀ ରାଜନେତା ଥିଲେ । ବିଶେଷ ଭାବରେ ଲମ୍ବା ସମୟ ଧରି ଜନପ୍ରତିନିଧି ଭାବରେ ପୁରୀବାସୀଙ୍କ ପାଇଁ ସେ କରିଥିବା କାର୍ଯ୍ୟ ସବୁ ଦିନ ପାଇଁ ମନେରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ଅନ୍ୟପଟେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ମହେଶ୍ୱର ମହାନ୍ତିଙ୍କୁ ଦକ୍ଷ ବିଧାୟକ, କ୍ରିୟାଶୀଳ ମନ୍ତ୍ରୀ ଓ ଲୋକପ୍ରିୟ ରାଜନେତା ଭାବରେ ପ୍ରକାଶ କରି ଶୋକସନ୍ତପ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଅନୁଗାମୀମାନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।

ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତିଙ୍କ ନିଧନ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛି ବୋଲି ଟ୍ଵିଟ କରି ଶୋକ ପ୍ରକାଶ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

Leave A Reply

Your email address will not be published.