Latest Odisha News

କର୍ଣ୍ଣାଟକ ନିର୍ବାଚନ, ‘ଡବଲ ଇଞ୍ଜିନ ନୁହେଁ ଟ୍ରବଲ ଇଞ୍ଜିନ ସରକାର’

ଭୁବନେଶ୍ୱର: କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଆରମ୍ଭରୁ ବିଜେପି ଡବଲ ଇଞ୍ଜିନ ସରକାରକୁ ଫୋକସ କରିଛି। କଂଗ୍ରେସ କିମ୍ବା ଜେଡିଏସକୁ ଭୋଟ ନ ଦେଇ ବିଜେପିକୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ତଥା ବିଜେପିର ସବୁ ବରିଷ୍ଠ ନେତା କର୍ଣ୍ଣାଟକବାସୀଙ୍କୁ ନିବେଦନ କରୁଛନ୍ତି।

କର୍ଣ୍ଣାଟକର ପ୍ରଗତି ପାଇଁ ବିଜେପିକୁ ପୂର୍ଣ୍ଣ ବହୁମତ ଦେବାକୁ ଆହ୍ୱାନ ଦିଆଯାଉଛି। ନଚେତ ଝୁଲା ସରକାର ହେଲେ ପ୍ରଗତି ହୋଇପାରିବ ନାହିଁ ବୋଲି କୁହାଯାଉଛି। ତେଣୁ କେନ୍ଦ୍ରରେ ବିଜେପି ସରକାର ଥିବାବେଳେ କର୍ଣ୍ଣାଟକରେ ବିଜେପି ସରକାରକୁ ବହୁମତ ଦେବାକୁ କୁହାଯାଉଛି। ଡବଲ ଇଞ୍ଜିନ ସରକାର ହେଲେ କର୍ଣ୍ଣାଟକର ବିକାଶ ତୀବ୍ର ହେବ ବୋଲି ବିଜେପି ନେତାମାନେ ପ୍ରଚାରରେ ସବୁବେଳେ କହୁଛନ୍ତି।

ଡବଲ ଇଞ୍ଜିନକୁ କାଉଣ୍ଟର କରିବା ପାଇଁ କଂଗ୍ରେସ ଟ୍ରବଲ ଇଞ୍ଜିନର ବଡ଼ କାର୍ଡ ଖେଳିଛି। ଆରମ୍ଭରୁ କର୍ଣ୍ଣାଟକର ବିଜେପି ସରକାରକୁ ୪୦ ପ୍ରତିଶତ କମିଶନର ସରକାର କହୁଥିବା କଂଗ୍ରେସ ମଝିରେ ପେ ସିଏମ କ୍ରାଏ ପିଏମ ଅଭିଯାନକୁ ଜୋରଦାର କରିଛି। ସାମାଜିକ ଗଣମାଧ୍ୟମରେ ଏହା ବ୍ୟାପକ ଭାବେ ଟ୍ରେଣ୍ଡ କରୁଛି।

ଏଭଳି ସ୍ଥିତିରେ ବିଜେପିର ଡବଲ ଇଞ୍ଜିନକୁ କାଉଣ୍ଟର କରିବାକୁ କଂଗ୍ରେସ ଟ୍ରବଲ ଇଞ୍ଜିନ ଶବ୍ଦକୁ ବ୍ୟାପକ ଭାବେ ବ୍ୟବହାର ଆରମ୍ଭ କରିଛି। କର୍ଣ୍ଣାଟକରେ ବିଜେପି ସରକାରରେ କାହାଠୁ କେଉଁ କାମ ପାଇଁ କେତେ କମିଶନ ନିଆଯାଇଛି ସେ ସମ୍ପର୍କରେ ଏକ କାର୍ଡ କରାଯାଇ କଂଗ୍ରେସ ପକ୍ଷରୁ ଲୋକଙ୍କ ପାଖରେ ପହଞ୍ଚାଇବା କାର୍ଯ୍ୟ କରାଯାଉଛି।

ଦି ଟ୍ରବଲ ଇଞ୍ଜିନ ସରକାର, କରପସନ ରେଟ କାର୍ଡ ନାମରେ ପ୍ରସ୍ତୁତ ଏହି କାର୍ଡ଼ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୨୫୦୦ କୋଟି, ମନ୍ତ୍ରୀ ପଦ ପାଇଁ ୫୦୦ କୋଟି, ବିଭିନ୍ନ ପଦପଦବୀରେ ନିଯୁକ୍ତି ଓ ବଦଳି ପାଇଁ ରେଟ ଚାର୍ଟ ପ୍ରସ୍ତୁତ କରିଛି ଦଳ।

ଏଥିରେ ଇଞ୍ଜିନିୟର ପଦ ପାଇଁ ୧ ରୁ ୫ କୋଟି, ସବ ରେଜିଷ୍ଟ୍ରାର ପାଇଁ ୫୦ ଲକ୍ଷରୁ ୫ କୋଟି, କନଷ୍ଟେବଳ ପଦ ପାଇଁ ୧୦ ଲକ୍ଷ, ଅଧ୍ୟାପକ ପଦ ପାଇଁ ୩୦ ରୁ ୫୦ ଲକ୍ଷ ଭଳି ଅନ୍ୟ ପଦପଦବୀ ପାଇଁ ବିଜେପି ସରକାର ନେଉଥିବା କମିଶନର ରେଟକୁ କାର୍ଡ ମାଧ୍ୟମରେ ଦର୍ଶାଯାଇଛି। ଏପରିକି କୋଭିଡ ସାମଗ୍ରୀ ଦେବା ପାଇଁ ୭୫ ପ୍ରତିଶତ, ମଠକୁ ଅନୁଦାନ ପାଇଁ ୩୦ ପ୍ରତିଶତ ଓ ରାସ୍ତାର କଣ୍ଟ୍ରାକ୍ଟ ପାଇଁ ୪୦ ପ୍ରତିଶତ କମିଶନ କଥା କାର୍ଡ଼ରେ ଉଲ୍ଲେଖ ରହିଛି।

ଏହି ଟ୍ରବଲ ଇଞ୍ଜିନ କାର୍ଡକୁ କଂଗ୍ରେସ ପକ୍ଷରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ଡବଲ ଇଞ୍ଜିନର ସରକାର କହୁଥିବା ବିଜେପି ଏ ସବୁ ଜାଣିଥିଲେ ମଧ୍ୟ ଏହାକୁ ରୋକିବାକୁ କଣ ପଦକ୍ଷେପ ନେଇଥିଲେ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ପ୍ରଚାରରେ କହିବା ଦରକାର ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି।

ଏପରିକି କର୍ଣ୍ଣାଟକରେ ଡବଲ ଇଞ୍ଜିନ ସରକାରରେ ଏଭଳି ଅବସ୍ଥା ବୋଲି କଂଗ୍ରେସ କହିଥିବାବେଳେ ବିଜେପିର ଡବଲ ଇଞ୍ଜିନର ଆଗାମୀ ଦିନର ପରିଣାମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଛି କଂଗ୍ରେସ। ସେପଟେ ବିଜେପି କିନ୍ତୁ ଡବଲ ଇଞ୍ଜିନ ସରକାରକୁ ଫୋକସ କରିଥିବା ବେଳେ କଂଗ୍ରେସ ଇସ୍ତାହାରରେ ଥିବା ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ଅସ୍ତ୍ର କରି ବାତାବରଣ ତିଆରି କରିବାରେ ଲାଗିଛି।

ପ୍ରଚାର ଶେଷ ପର୍ଯ୍ୟାୟରେ ଥିବାରୁ ଉଭୟ ଦଳର ପ୍ରଚାରକୁ କର୍ଣ୍ଣାଟକବାସୀ କିଭଳି ଗ୍ରହଣ କରୁଛନ୍ତି ତା ଉପରେ ନଜର।

Comments are closed.