Latest Odisha News

ଅଭିମନ୍ୟୁ ଭାଙ୍ଗିବେ ବିଜେଡି ଚକ୍ରବ୍ୟୂହ !

ଭୁବନେଶ୍ବର: ବିଜେଡି ଗଠନ ପରଠୁ ଭଦ୍ରକ ଦଳର ଗଡ ରହି ଆସିଛି। ୧୯୯୮ରୁ ୨୦୧୯ ସବୁ ନିର୍ବାଚନରେ ବିଜେଡିକୁ ଜିତାଇଛନ୍ତି ଭଦ୍ରକ ଭୋଟର । ପାଞ୍ଚ ପାଞ୍ଚ ଥର ଜିତିଥିଲେ ଅର୍ଜୁନ ସେଠୀ । ହେଲେ ଗତ ନିର୍ବାଚନରେ ଅର୍ଜୁନଙ୍କ ଟିକେଟ୍ କାଟି ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ମଞ୍ଜୁଲତା ଜିତିଥିଲେ, ତେବେ ତାଙ୍କୁ ଟଫ୍ ଫାଇଟ୍ ଦେଇଥିଲେ ଭେଟେରାନ୍ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ । ଏଥର ପୁଣି ମଇଦାନରେ ଉଭୟ ମଞ୍ଜୁଲତା ଓ ଅଭିମନ୍ୟୁ। ସେପଟେ କଂଗ୍ରେସ ବି ଭେଟେରାନ୍ ଅନନ୍ତ ପ୍ରସାଦ ସେଠୀଙ୍କୁ ପ୍ରାର୍ଥୀ କରି ବଡ ଗୋଟି ଚଳାଇଛି ।

 

କଂଗ୍ରେସ ହାତରେ ଭଦ୍ରକ ଚାବି !
ଭଦ୍ରକରେ ଏଥର ତ୍ରିମୁଖୀ ଲଢେଇ ହେଉଥିଲେ ବି ମୁଖ୍ୟ ମୁକାବିଲା ବିଜେଡିର ମଞ୍ଜୁଲତା ମଣ୍ଡଳ ଓ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ମଧ୍ୟରେ ହେଉଛି । ତେବେ ଭେଟେରାନ୍ ଅନନ୍ତ ପ୍ରସାଦ ସେଠୀଙ୍କୁ ପ୍ରାର୍ଥୀ କରି ଭଦ୍ରକ ଟକ୍କରକୁ ଆହୁରି ରୋଚକ କରିଛି କଂଗ୍ରେସ । ୧୯୮୪ରେ ଭଦ୍ରକରୁ କଂଗ୍ରେସ ସାଂସଦ ହୋଇଥିଲେ ଅନନ୍ତ । ଗତଥର ତାଙ୍କ ଝିଅ ମଧୁମିତା ସେଠୀ କଂଗ୍ରେସରୁ ପ୍ରାର୍ଥୀ ହୋଇ ୨ଲକ୍ଷ ୭ହଜାର ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଏଥର ମଇଦାନରେ ନିଜେ ଅନନ୍ତ ସେଠୀ । କଂଗ୍ରେସର ଏହି ଭେଟେରାନ ନେତାଙ୍କର ନିଜସ୍ବ ଭୋଟବ୍ୟାଙ୍କ ଓ ସପୋର୍ଟ ବେସ୍ ରହିଛି । ତେଣୁ ଅନନ୍ତ ସେଠୀ କେତେ ଭୋଟ୍ ପାଉଛନ୍ତି, ତାଉପରେ ଭଦ୍ରକ ଫଳାଫଳ ନିର୍ଭର କରିପାରେ । ଗତଥର ମାତ୍ର ୨୯ହଜାର ଭୋଟରେ ଜିତିଥିଲେ ମଞ୍ଜୁଲତା । ତେଣୁ କଂଗ୍ରେସ ଭୋଟ୍ ନିର୍ଣ୍ଣାୟକ ହୋଇପାରେ।

 

ବିଜେଡି ଗଡ ଭାଙ୍ଗିବେ ଅଭିମନ୍ୟୁ !
ଗତଥର ଅଳ୍ପକେ ହାରିଥିଲେ ଅଭିମନ୍ୟୁ ସେଠୀ । ଏଥର ପରାଜୟର ପ୍ରତିଶୋଧ ନେବାକୁ ମଇଦାନରେ ଆକ୍ଟିଭ୍ ରହିଛନ୍ତି । ବାପା ଅର୍ଜୁନ ସେଠୀଙ୍କ ଲିଗାସି ସାଙ୍ଗକୁ ମୋଦି ଲହର ଓ ରାଜ୍ୟ ଶାସନ ବିରୋଧୀ ହାଓ୍ବା ଅଭିମନ୍ୟୁଙ୍କ ପାଇଁ ଓ୍ବିନିଂ ଫ୍ୟାକ୍ଟର ହୋଇପାରେ। ବର୍ଷ ବର୍ଷ ଧରି ବିଜେଡି ଭଦ୍ରକ ଜିତିଥିଲେ ମଧ୍ୟ ଅଞ୍ଚଳରେ ଶିକ୍ଷାରୁ ସ୍ବାସ୍ଥ୍ୟ ଭଳି ବିଭିନ୍ନ ସମସ୍ୟା ରହିଛି । ଲୋକଙ୍କୁ ମୋଦି ଗ୍ୟାରେଣ୍ଟି ଦେବା ସହ ଭଦ୍ରକ ଜିତିବାକୁ ଜୋରଦାର ଉଦ୍ୟମ କରୁଛନ୍ତି ଅଭିମନ୍ୟୁ। ତାଙ୍କ ପାଇଁ କେନ୍ଦ୍ରୀୟ ନେତା ବି ସମରସଜ୍ଜା କରୁଛନ୍ତି । ସେପଟେ ଅଭିମନ୍ୟୁଙ୍କୁ ମାତ୍ ଦେବାକୁ ବିଜେଡି ପ୍ରଚାର ଚକ୍ରବ୍ୟୂହ କରିଛି । ନବୀନ ସରକାରର ବିକାଶର ହିସାବ ଦେଇ ପୁଣି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି ଭିକେ ପାଣ୍ଡିଆନ ।

 

ଥିଲେ ବିଧାୟକ ହେଲେ ବିଦ୍ରୋହୀ
ଦଳବଦଳ ଓ ଟିକେଟ୍ ଅସନ୍ତୋଷ ବିଗାଡିପାରେ ଭଦ୍ରକ ଗଣିତ । ସୋର ବିଧାୟକ ପର୍ଶୁରାମ ଧଡା ଟିକେଟ ନମିଳିବାରୁ ବିଜେଡି ଛାଡି ବିଜେପିରେ ସାମିଲ ହେବା ସହ ପ୍ରାର୍ଥୀ ହୋଇଛନ୍ତି। ତେଣୁ ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇପାରନ୍ତି ଦୁଇ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଥିବା ପର୍ଶୁରାମ । ସେହିପରି ଟିକେଟ ନମିଳିବା ପରେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବି ବିଜେଡି ଛାଡିଥିଲେ। ତେବେ ଇସ୍ତଫା ଦେବାର ୨୪ଘଣ୍ଟା ପରେ ଦଳ ପକ୍ଷରୁ ତାଙ୍କୁ ବୁଝାସୁଝା କରି ଫେରାଇ ଅଣାଯାଇଛି । ତେବେ ଦଳୀୟ ପ୍ରାର୍ଥୀଙ୍କୁ ସେ କେତେ ସହଯୋଗ କରିବେ, ସେନେଇ ଦ୍ବନ୍ଦ୍ବ ରହିଛି ।

 

ବିଧାନସଭା ଗଣିତ ଗୋଳମାଳ
ଭଦ୍ରକ, ଧାମନଗର, ଭଣ୍ଡାରିପୋଖରୀ, ଚାନ୍ଦବାଲି, ବାସୁଦେବପୁର ସହ ବାଲେଶ୍ୱରର ସୋର ଓ ସିମୁଳିଆ ବିଧାନସଭାକୁ ନେଇ ରହିଛି ଭଦ୍ରକ ଲୋକସଭା ଆସନ । ଧାମନଗର ଆସନ ବିଜେପି ଖାତାରେ ରହିଥିବା ବେଳେ ବାକି ୬ ବିଧାନସଭା ଆସନ ବିଜେଡି ହାତରେ ରହିଛି । ତେବେ ଏଥର ଅଙ୍କ ଏପଟ ସେପଟ ହୋଇଛି । ଗତ ତିନିଥର ହେଲା ଭଣ୍ଡାରୀପୋଖରୀ ଜିତି ଆସୁଥିବା ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକରୁ ପ୍ରାର୍ଥୀ କରିଛି ବିଜେଡି। ସେହିପରି ଗତଥର ଭଦ୍ରକ ଜିତିଥିବା ସଂଜୀବ ମଲ୍ଲିକ ଭଣ୍ଡାରୀପୋଖରୀରୁ ଲଢୁଛନ୍ତି । ଭଦ୍ରକ ସିଟ୍ ପାଇଁ ଆଶାୟୀ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ବିଜେଡି ଛାଡି କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ତେଣୁ ସେ ବି କିଛି ପରିମାଣରେ ବିଜେଡି ଭୋଟ୍ କାଟିପାରନ୍ତି । ଚାନ୍ଦବାଲିରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଲଢୁଛନ୍ତି ତ ଭଣ୍ଡାରୀପୋଖରୀରୁ ମଇଦାନରେ କଂଗ୍ରେସ ହେଭିଓ୍ବେଟ୍ ନିରଞ୍ଜନ ପଟ୍ଟନାୟକ । ତେଣୁ ଭଦ୍ରକ ମଇଦାନରେ ହେଭିଓ୍ବେଟଙ୍କ ଲଢେଇ ଲୋକସଭା ସମୀକରଣ ବଦଳାଇପାରେ ।

ଚଳିତ ଥର ଭଦ୍ରକ ଲଢେଇ ସଂଘର୍ଷପୂର୍ଣ୍ଣ ହେବ । ବିଜେଡି ଗଡ ରକ୍ଷା ପାଇଁ ଜୋରଦାର ଉଦ୍ୟମ କରୁଥିବା ବେଳେ ବିଜେପି ଭଦ୍ରକ ଦଖଲ କରିବାକୁ ରଣନୀତି କରୁଛି । ତେଣୁ ଏଥର ଚମକାଇପାରେ ଭଦ୍ରକ ଫଳ ।

Comments are closed.