Latest Odisha News

ଓଡିଶାରେ ବିଜେପି ଓ ବିଜେଡି ମିଶିକି ଅଛନ୍ତି: ରାହୁଲ

ବାଲେଶ୍ବର: ଆସନ୍ତା ୧ ତାରିଖ ଦିନ ରାଜ୍ୟରେ ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ଏଥିପାଇଁ  ଆଜି ସରୁଛି ପ୍ରଚାର। ଶେଷ ଦିନରେ ୩ ରାଜନୈତିକ ଦଳ ନିଜର ଜୋରଦାର ପ୍ରଚାର ଚଳାଇଛନ୍ତି । ଏହିମଧ୍ୟରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ସିମୁଳିଆ ଜନସଭାକୁ  ସମ୍ବୋଧିତ କରିଛନ୍ତି ।

ବିଜେପି ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି । ଦୁନିଆର ଏଭଳି କୌଣସି ଶକ୍ତି ନାହିଁ ଦେଶର ସମ୍ବିଧାନକୁ ସମାପ୍ତ କରିଦେବ । ଯେତେ ବି ଶକ୍ତି ଲଗାନ୍ତୁ ସମ୍ବିଧାନକୁ ସମାପ୍ତ କରିପାରିବେ ନାହିଁ ବୋଲି ସଭାରେ କହିଛନ୍ତି ରାହୁଲ। ବିଜେପି ଓ ଆରଏସଏସ ଲୋକ କହୁଛନ୍ତି ଆମେ କ୍ଷକତାକୁ ଆସିଲେ ଭାରତର ସମ୍ବିଧାନକୁ ଚିରି ଫୋପାଡି ଦେବୁ । ଏପଟେ ଇଣ୍ଡିଆ ମେଣ୍ଟ କହୁଛି କିଛି ବି ହେଇଯାଉ ଆମେ ଭାରତର ସମ୍ବିଧାନକୁ ବଞ୍ଚେଇ ରଖିବୁ ।ରାହୁଲ କହିଛନ୍ତି , ବିଜେପି ଏବଂ ଆରଏସଏସ ଲୋକ ଯେତେ ସ୍ବପ୍ନ ଦେଖିଲେ ବି ଦୁନିଆର କୌଣସି ଶକ୍ତି ନାହିଁ ଭାରତର ସମ୍ବିଧାନକୁ ଶେଷ କରିଦେବ ।

ଏହାସହ ରାହୁଲ କହିଛନ୍ତି, ଜୁନ୍ ୪ରେ ଆମ ସରକାର ହେବ । ସରକାର ଗଠନ ହେଲେ ମହାଲକ୍ଷ୍ମୀ ଯୋଜନା ଚାଲୁ କରିବୁ  ।ଜୁଲାଇ ୫ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୫୦୦ ଟଙ୍କା ଆସିବ । କ୍ଷମତାକୁ ଆସିଲେ ଆମେ ଚାଷୀଙ୍କ ଋଣ ଛାଡ଼ କରିବୁ  । ଆଦାନୀ ଠାରୁ ଟଙ୍କା ଆଣିବୁ ଏବଂ ତାହାକୁ ସାଧାରଣ ମହିଳାଙ୍କ ଆକାଉଣ୍ଟରେ ଦେବୁ । ମୋଦୀ  ସାଧାରଣ ଲୋକଙ୍କ ଟଙ୍କାକୁ ଅଦାନୀ ଓ ଅମ୍ବାନୀଙ୍କୁ ଦେଇଛନ୍ତି । ଯାହାକୁ ନେଇ ବିଦେଶରେ ବ୍ୟବସାୟ କରୁଛନ୍ତି, ବଙ୍ଗଳା କିଣୁଛନ୍ତି । କିନ୍ତୁ ଏହି ଟଙ୍କା ଓଡ଼ିଶାର ମହିଳାଙ୍କୁ ଆମେ ଦେବୁ । ମହିଳା ମାନେ ଏହାକୁ ବିଭିନ୍ନ ଉପାୟରେ ଖର୍ଚ୍ଚ କରିବେ ।

ଓଡ଼ିଶାର ଚାଷୀ ଓ ଶ୍ରମିକଙ୍କୁ ମଧ୍ୟ ସବୁ ପ୍ରକାର ସୁବିଧା ଯୋଗାଇଦେବୁ । ଚାଷୀଙ୍କର ଋଣ ଛାଡ କରିବୁ । ଯେତେବେଳେ ଚାଷୀଙ୍କୁ ଋଣ ଛାଡର ଆବଶ୍ୟକତା ପଡିବ ସେତେବେଳେ ଏହି ଉଦ୍ୟୋଗର ନିର୍ଦ୍ଦେଶରେ ଭାରତ ସରକାର ଚାଷୀଙ୍କ ଋଣ ଛାଡ କରିବ । ଇଣ୍ଡିଆ ମେଣ୍ଟ  ସରକାର କ୍ଷମତାକୁ ଆସିଲେ ,ଅଗ୍ନିବୀର ଯୋଜନାକୁ ଅଳିଆ ଗଦାରେ ଫିଙ୍ଗିଦେବୁ । ଅଗ୍ନିବୀର ଯୋଜନା ରଦ୍ଦ କରିବୁ । ପ୍ରତି ସୈନିକଙ୍କୁ ସମାନ ସୁବିଧା ମିଳିବ ।  ରାଜ୍ୟରେ ୩୦ ଲକ୍ଷ ନିଯୁକ୍ତି ଦେବୁ । ଶ୍ରମିକଙ୍କୁ ମନେରଗାରେ ଦୈନିକ ପାରିଶ୍ରମିକ ୪୦୦ ଟଙ୍କା ମିଳିବ ।

ଯୁବକଙ୍କୁ ପେହେଲି ନୌକରି ପକ୍କି ଯୋଜନାରେ ନିଯୁକ୍ତି ମିଳିବ ଏବଂ ଆକାଉଣ୍ଟରେ ବାର୍ଷିକ ୧ ଲକ୍ଷ ଟଙ୍କା ମିଳିବ । ରାହୁଲ ଆହୁରି ମଧ୍ୟ କହିଛନ୍ତି,ଓଡିଶାରେ ବିଜେପି ଓ ବିଜେଡି ମିଶିକି ଅଛନ୍ତି ।ସେମାନଙ୍କର ଚିନ୍ତାଧାରା ଗୋଟିଏ । ରାହୁଲ କହିଛନ୍ତି ମୁଁ ବିଜେପି ବିରୋଧରେ ଲଢୁଥିବାରୁ ମୋ ନାଁରେ ୨୪ଟି ମାମଲା ହୋଇଛି । ଯଦି ନବୀନ ବିଜେପି ବିରୋଧରେ ଲଢୁଛନ୍ତି ତାଙ୍କ ନାଁରେ ମାମଲା କାହିଁକି ହେଉନି । ମୋଦି ଓ ନବୀନଙ୍କ ମଧ୍ୟରେ ପାର୍ଟନରସିପ୍ ଅଛି । ଓଡ଼ିଶାର ଖଣି, ସମ୍ପଦକୁ ଚୋରି ଓ ଲୁଟ କରିବାକୁ ଏ ପାର୍ଟନରସିପ ହୋଇଛି । ଏଠାରେ ସରକାର ନବୀନ ଚଲାଉନାହାନ୍ତି । ଆଉ କେହି ଚଲାଉଛନ୍ତି । ମୋଦି ଓ ନବୀନଙ୍କ ପାର୍ଟନରସିପ୍ ଭାଙ୍ଗି ଫିଙ୍ଗି ଦେବୁ ବୋଲି କହିଛନ୍ତି ରାହୁଲ ।

ମୋଦି ଏବଂ ତାଙ୍କ ଲୋକ କହୁଛନ୍ତି ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାମ କରୁଛନ୍ତି । କିନ୍ତୁ ତାଙ୍କ ଲୋକ କହୁଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ । ବିଜେପି ଓଡ଼ିଶାର ଅପମାନ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିବା ସହ ପ୍ରତିଟି ଓଡ଼ିଆଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା ବୋଲି ସିମୁଳିଆ ଜନସଭାରେ କହିଛନ୍ତି ରାହୁଲ । ସେହିପରି ଶେଷରେ କଂଗ୍ରେସ ନେତାଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି ରାହୁଲ ଗାନ୍ଧି ।

 

 

Comments are closed.