Latest Odisha News

BREAKING NEWS

ବିଜେଡି ବିରୋଧରେ ପଶ୍ଚିମ ଓଡିଶା କାର୍ଡ, ଏକାଠି ହେଲେ ବିଜେପି, କଂଗ୍ରେସ!

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶାର ରାଜନୈତିକ ବାତାବରଣ ସରଗରମ ହେଉଛି। ଠିକ ଏଭଳି ସମୟରେ ବିରୋଧୀ ପଶ୍ଚିମ ଓଡିଶାକୁ ନେଇ ଏକ ବଡ଼ କାର୍ଡ ଖେଳିଥିବା ଆଲୋଚନା ହେଉଛି।

ନୂଆଖାଇକୁ ପଶ୍ଚିମ ଓଡିଶାର ଗଣପର୍ବ କୁହାଯାଏ। ଏପରିକି ଛୋଟଠୁ ବଡ଼ ସମସ୍ତେ ଏହି ପର୍ବକୁ ବହୁ ଅଧିକ ଗୁରୁତ୍ଵ ଦିଅନ୍ତି। ଏହି ସମୟରେ ଯିଏ ଯେତେ ଦୂରରେ ଥିଲେ ମଧ୍ୟ ପରିବାର ସହ ଏକାଠି ହୁଅନ୍ତି ଓ ନବାନ୍ନ ଗ୍ରହଣ କରନ୍ତି। ସମସ୍ତଙ୍କର ଭେଟଘାଟ ହୁଏ। ଯାହାକି ଏକ ମହାମିଳନ ବୋଲି କୁହାଯାଏ।

କିନ୍ତୁ ଠିକ ଏହି ସମୟରେ ଓଡିଶା ବିଧାନସଭା ବାଚସ୍ପତି ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ନୂଆଖାଇ ପରଦିନ ବାଚସ୍ପତି ନିର୍ବାଚନ ରଖାଯାଇଥିବାରୁ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ସରକାରକୁ ଘେରିଛନ୍ତି। ଏପରିକି ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ଉଭୟ କଂଗ୍ରେସ ଓ ବିଜେପି ଘୋଷଣା କରିଛନ୍ତି।

ପୂର୍ବରୁ କଂଗ୍ରେସ ନିର୍ବାଚନକୁ ବର୍ଜନ କରିବା ନେଇ ଘୋଷଣା କରିଥିବା ବେଳେ ବିଜେପି ମଧ୍ୟ ବର୍ଜନ ନିଷ୍ପତ୍ତି ଶୁଣାଇଛି। ବିଜେପି ବିଧାୟକ ଦଳ ଏ ନେଇ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ବିଜେପି ବିଧାୟକ ନାଉରୀ ନାଏକ।

ନୂଆଖାଇ ସମୟରେ ବାଚସ୍ପତି ନିର୍ବାଚନ କରାଯାଉଥିବାରୁ ବିଜେପି ବିଧାୟକ ଦଳ ଏହାକୁ ବର୍ଜନ କରିବ ବୋଲି ସେ କହିଛନ୍ତି। ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ୨୦ ତାରିଖରେ ନୂଆଖାଇ ପଡିଲେ ମଧ୍ୟ ନୂଆଖାଇ ପରେ ଭେଟଘାଟ କାର୍ଯ୍ୟକ୍ରମଗୁଡ଼ିକ ରହିଥାଏ।

ନୂଆଖାଇ ପୂର୍ବରୁ ଏବଂ ପରେ ତିନି ଚାରି ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଉତ୍ସବ ଚାଲେ। କିନ୍ତୁ ସରକାର ଏହାକୁ ଆଦୌ ବିଚାରକୁ ନ ନେଇ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ପଶ୍ଚିମ ଓଡିଶାର ସଂସ୍କୃତିକୁ ଗୁରୁତ୍ୱ ନ ଦେଇ ସରକାର ଏଭଳି କରିଥିବା ବିଜେପି ପକ୍ଷରୁ କୁହାଯିବା ସହ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଏପରିକି ପଶ୍ଚିମ ଓଡିଶାର ବିଜେଡି ନେତାମାନେ ଏ ବାବଦରେ ସରକାରଙ୍କୁ କିଭଳି ପରାମର୍ଶ ଦେଲେନି ବୋଲି ପ୍ରଶ୍ନ କରିଛି ଦଳ।

ବିଜେପି ବିଧାୟକ ମାନେ ବାରମ୍ବାର ପ୍ରତିବାଦ କରିବା ସତ୍ତ୍ୱେ ମଧ୍ୟ ତାରିଖ ଘୁଞ୍ଚାଗଲା ନାହିଁ ବୋଲି ବିଜେପି ବିଧାୟକ ନାଉରୀ ନାଏକ ପ୍ରଶ୍ନ କରିଛନ୍ତି। ତେଣୁ ବାଚସ୍ପତି ନିର୍ବାଚନକୁ ବିଜେପି ସମ୍ପୂର୍ଣ୍ଣ ବୟକଟ କରିବ ବୋଲି କୁହାଯାଇଛି।

ସେପଟେ ଦୁଇଦିନ ତଳେ କଂଗ୍ରେସ ବିଧାୟକ ମାନେ ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନରେ ଯୋଗ ଦେବେ ନାହିଁ ଵୋଲି ସ୍ପଷ୍ଟ କରିଥିଲେ। ପିସିସି ପକ୍ଷରୁ ଏ ନେଇ ଏକ ସୂଚନା ମଧ୍ୟ ଜାରି କରାଯାଇଥିଲା।

ନୂଆଖାଇ ଉତ୍ସବ ପଶ୍ଚିମଓଡିଶାବାସୀଙ୍କ ଭାବାବେଗ ସହ ଜଡିତ। ତେଣୁ କଂଗ୍ରେସ ବିଧାୟକ ମାନେ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହିବା ସହ ବାଚସ୍ପତି ନିର୍ବାଚନରେ ଯୋଗ ଦେବେ ନାହିଁ ଵୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। କଂଗ୍ରେସ ପକ୍ଷରୁ ନୂଆଖାଇ ପାଇଁ ଦୁଇଦିନ ସରକାରୀ ଛୁଟି ଓ ବାଚସ୍ପତି ନିର୍ବାଚନ ଘୁଞ୍ଚାଇବାକୁ ଦାବି ହୋଇଥିଲା।

ତେଣୁ ଏବେ ଉଭୟ ବିରୋଧୀ ବାଚସ୍ପତି ନିର୍ବାଚନ ବର୍ଜନ କରିବା ସହ ଶାସକ ବିଜେଡି ପଶ୍ଚିମ ଓଡିଶା ବିରୋଧୀ ବୋଲି ଦେଖାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।

ବିଭିନ୍ନ ସମୟରେ ପଶ୍ଚିମ ଓଡିଶାକୁ ଅବହେଳାର ଅଭିଯୋଗ ହୁଏ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନଠୁ ଆରମ୍ଭ କରି ଅସନ୍ତୋଷ ଦେଖିବାକୁ ମିଳେ।

ଏବେ କିନ୍ତୁ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକଙ୍କ ସ୍ୱର ସମାନ ହୋଇଥିବାବେଳେ ନିର୍ବାଚନ ପୂର୍ବରୁ ବିରୋଧୀ ଏହାକୁ ପଶ୍ଚିମ ଓଡିଶା ଭାବାବେଗ ସହ ଯୋଡିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.