ଭୁବନେଶ୍ୱର: କଂଗ୍ରେସ ୬ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିସହ ସମ୍ବଲପୁର ଏବଂ ବାରିପଦା ବିଧାନସଭା ଆସନର ପ୍ରାର୍ଥୀ ବଦଳାଇଛି।
ଏଆଇସିସି ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଲୋକସଭା ଆସନ ପାଇଁ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି। ଯିଏକି ନିକଟରେ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ। ସେ ୨୦୧୪ରେ ବିଜେଡି ଟିକେଟରେ ସମ୍ବଲପୁରରୁ ସାଂସଦ ହୋଇଥିଲେ। ସେହିପରି କଟକ ଲୋକସଭା ପାଇଁ ସୁରେଶ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି।
କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଭାବେ ଏବେର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଜଳେଶ୍ବରରୁ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ବରରୁ ମନୋଲିସା ଲେଙ୍କା, ବଡଚଣାରୁ ଅଜୟ ସାମଲ ପାଲଲହଡାରୁ ଫକୀର ସାମଲ, ଜଗତସିଂହପୁରରୁ ପ୍ରତିମା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ତେବେ ବାରିପଦା ଆସନ ପାଇଁ ପ୍ରମୋଦ କୁମାର ହେମ୍ରମଙ୍କ ନାଁ ଘୋଷଣା ହୋଇଛି। ପୂର୍ବରୁ ଏହି ଆସନ ବାଦଲ ହେମ୍ରମ ଲଢିବେ ବୋଲି ଦଳ ଘୋଷଣା କରିଥିଲା।
ସେହିପରି ଖଣ୍ଡପଡା ଆସନ ପାଇଁ ମନୋଜ କୁମାର ପ୍ରଧାନଙ୍କ ନାଁ ଘୋଷଣା ହୋଇଥିବା ବେଳେ ଏବେ ବୈଜୟନ୍ତିମାଳା ମହାନ୍ତିଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ୧୪୭ ବିଧାନସଭା ଆସନରୁ କଂଗ୍ରେସ ନୀଳଗିରି ଓ କାକଟପୁର ଆସନକୁ ଛାଡି ଅନ୍ୟ ସମସ୍ତ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି।