Latest Odisha News

BREAKING NEWS

ପେଟ୍ରୋଲ-ଡ଼ିଜେଲ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଓଡ଼ିଶା କଂଗ୍ରେସର ସମାଲୋଚନା

ଭୁବନେଶ୍ୱର: ପେଟ୍ରୋଲ ଦର ବୃଦ୍ଧି ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଏକ ବିବୃତିରେ ସେ କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ ଦର ଲଗାତର ଭାବେ ବୃଦ୍ଧିପାଇବାରେ ଲାଗିଛି । ଅଥଚ କେନ୍ଦ୍ର ସରକାର ତାହାକୁ ଜିଏସ୍ଟି ପରିସରଭୁକ୍ତ କରୁନାହାନ୍ତି । ଦେଶରେ ପେଟ୍ରୋଲ, ଡିଜେଲ ଦରରେ ଏବେ ନିଆଁ ଲାଗିଛି ଏବଂ ସେହି ନିଆଁରେ ସାଧାରଣ ଲୋକ ଜଳୁଛନ୍ତି ।

ଏଥିରୁ ଯେଉଁ ବର୍ଦ୍ଧିତ ଲାଭ ମିଳୁଛି ତାହାକୁ କେନ୍ଦ୍ରର ବିଜେପି ସରକାର ଆଗାମୀ ନିର୍ବାଚନରେ ବ୍ୟବହାର କରି ଭୋଟ କିଣିବାକୁ ଯୋଜନା କରିଛନ୍ତି । କିନ୍ତୁ ସାଧାରଣ ଜନତା କଦାପି ତାହା ହେବାକୁ ଦେବେନାହିଁ । ପେଟ୍ରୋଲ, ଡ଼ିଜେଲ ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିଜନିତ ବୋଝ ସେମାନଙ୍କୁ ଢେର ବାଧିଲାଣି । ସେମାନେ ଏହାର ଜବାବ ଦେବେ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି, କର୍ଣ୍ଣାଟକରେ ସମ୍ପ୍ରତି ଅନୁଷ୍ଠିତ ପୋ÷ର ନିର୍ବାଚନ ଫଳାଫଳରୁ ତାହା ସ୍ପଷ୍ଟ ହୋଇଯାଇଛି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସେପ୍ଟେମ୍ବର ୪ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୮ଟଙ୍କା ୧୮ ପଇସା ରହିଥିଲା । ସେଥିରେ ପୂର୍ବଦିନ ତୁଳନାରେ ୨୮ ପଇସା ବୃଦ୍ଧି ଘଟିଛି । ସେହିଭଳି ଡ଼ିଜେଲ ଲିଟର ୭୬ ଟଙ୍କା ୬୦ ପଇସା ଥିଲା । ଡ଼ିଜେଲ ମୂଲ୍ୟ ପୂର୍ବଦିନ ଅପେକ୍ଷା ୩୨ ପଇସା ବୃଦ୍ଧିପାଇଛି ।

୨୦୧୩ ଅକ୍ଟୋବର ୧ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ମୂଲ୍ୟ ୭୧.୬୪ ଓ ଡ଼ିଜେଲ ଲିଟର ପିଛା ମୂଲ୍ୟ ୫୪ ଟଙ୍କା ୬୦ ପଇସା ଥିଲା । ସେତେବେଳେ ଆନ୍ତର୍ଜାତିକ ବଜାରରେ ଅସ୍ଥିର ପରିସ୍ଥିତି ସତ୍ୱେ ତକ୍ରାଳୀନ ୟୁପିଏ ସରକାର ତୈଳଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିପାରିଥିଲେ । କିନ୍ତୁ ବର୍ତମାନର ସରକାର ତୈଳଦରକୁ ଲଗାମଛଡା ବଢିବାକୁ ଦେଇ ସେଥିରୁ ବିପୁଳ ମୁନାଫା କମାଉଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.