Latest Odisha News

BREAKING NEWS

“ଜୱାଦ” କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ୧୫ ଡିସେମ୍ବରରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର : ଜୱାଦ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ତୁରନ୍ତ କ୍ଷତି ପୁରଣ ଦିଅନ୍ତୁ ବୋଲି କଂଗ୍ରେସ କହିଛି। ଆର୍ଥିକ ସହାୟତା, କୃଷିଋଣ ଛାଡ ସମେତ ବିଭିନ୍ନ ଦାବି ପୂରଣ ନହେଲେ ଚଳିତ ମାସ ୧୫ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଦେବେ ପ୍ରଦେଶ କିଷାନ କଂଗ୍ରେସ। ଜୱାଦ ଜନିତ ଅଦିନିଆ ବର୍ଷା ଓଡ଼ିଶାର ଚାଷୀ ଭାଇ ମାନଙ୍କ ବର୍ଷକର ଆହାର ଛଡାଇ ନେଇଛି।ଏଭଳି ବିତ୍ପାତ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସରକାରଙ୍କ ପାଖରେ ଦାବି କରାଯାଇଛି।

ଏ ସଂପର୍କରେ କଂଗ୍ରେସ ଭବନଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ, ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକ ଓ ବରିଷ୍ଠ ମୁଖପାତ୍ର ଶ୍ରୀ ଅମିୟ ପାଣ୍ଡବ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ଏଭଳି ସଂଗୀନ ପରିସ୍ଥିତିରେ ସରକାର ଅବିଳମ୍ବେ ଚାଷୀମାନଙ୍କ ଉପରୁ କୃଷି ଋଣ ଛାଡ଼ କରନ୍ତୁ । ସରକାରଙ୍କ ତରଫରୁ ୩୩ ପ୍ରତିଶତରୁ ଉର୍ଦ୍ଧ୍ୱ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଯେଉଁ କୃଷି ଇନ୍‌ପୁଟ ସହାୟତାର ପ୍ରଚଳିତ ବ୍ୟବସ୍ଥା ରହିଛି, ତାହାକୁ ତୁରନ୍ତ ପରିବର୍ତନ କରାଯାଇ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସଂଶୋଧିତ ବୃଦ୍ଧି ସହାୟତା ପ୍ରଦାନ କରାଯିବାକୁ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି ।

ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଗୁଣ୍ଠ ପ୍ରତି ସର୍ବନିମ୍ନ ୩ ହଜାର ଟଙ୍କା କ୍ଷତିପୂରଣ ରାଶି ସରକାର ପ୍ରଦାନ କରିବା, ଚଳିତ ରବି ଋତୁ ପାଇଁ ସରକାର ମାଗଣାରେ ଚାଷୀଙ୍କୁ ଉତ୍କୃଷ୍ଟ ମାନର ବିହନ, ସାର, କିଟନାଶକ ଔଷଧ ଯୋଗାଇ ଦେବା ଓ କ୍ଷତିଗ୍ରସ୍ତ ଭାଗଚାଷୀ ମାନଙ୍କୁ ସରକାର ଉପଯୁକ୍ତ କ୍ଷତିପୂରଣ ଓ ସହାୟତାର ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ମୁଖପାତ୍ର ଶ୍ରୀ ଗୁରୁ ସରକାରଙ୍କ ଠାରେ ଦୃଢ଼ ଦାବି କରିଛନ୍ତି ।“ଜୱାଦ” କ୍ଷତିଗ୍ରସ୍ତ କୃଷକମାନଙ୍କୁ ଉପଯୁକ୍ତ ସହାୟତା ରାଶି ପ୍ରଦାନ କରିବାକୁ ଗତକାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.