ନୂଆଦିଲ୍ଲୀ: ଶନିବାର ଅସ୍ତ୍ରବିରତି ନେଇ ଟ୍ରମ୍ପଙ୍କ ଟ୍ବିଟ୍ ପରେ, ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ । କେଉଁ ପରିସ୍ଥିତିରେ ଅସ୍ତ୍ରବିରତି ନେଇ ସହମତି ହେଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଯାହାକୁ ନେଇ ଏବେ ମୋର୍ଚ୍ଚା ଖୋଲିଛି କଂଗ୍ରେସ । ପ୍ରଥମେ କଂଗ୍ରେସ ନେତା ଜୟରାମ ରମେଶ ସମର୍ବଦଳୀୟ ବୈଠକ ନେଇ ଦାବି କରିବା ପରେ ଏବେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଅସ୍ତ୍ରବିରତି ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ଦାବି କରିଛନ୍ତି ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଏବଂ ଅସ୍ତ୍ରବିରତି ଘୋଷଣା ପରେ, କଂଗ୍ରେସ ଏବେ ମୋଦି ସରକାରଙ୍କ ଉପରେ ଆକ୍ରମଣାତ୍ମକ ହୋଇ ଉଠିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ପହଲଗାମ ଆତଙ୍କବାଦୀ ଆକ୍ରମଣ, ଅପରେସନ ସିନ୍ଦୂର ଏବଂ ଆମେରିକାର ଅସ୍ତ୍ରବିରତି ଘୋଷଣା ଉପରେ ଆଲୋଚନା କରିବା ପାଇଁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛନ୍ତି । ପୂର୍ବରୁ ଜୟରାମ ରମେଶ ଏବଂ ସଚିନ ପାଇଲଟ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପ ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।
ଦୁଇ ଦେଶ ମଧ୍ୟରେ ହଠାତ୍ ଯୁଦ୍ଧବିରତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରି ସଚିନ ପାଇଲଟ୍ କହିଛନ୍ତି, କଂଗ୍ରେସ ଦାବି କରୁଛି ଯେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ । ଏହା ସହିତ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକ ଡକାଯିବା ଉଚିତ । ଏଥିସହିତ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ଟ୍ରମ୍ପ୍ଙ୍କ ଦ୍ବାରା ପ୍ରଥମେ ଅସ୍ତ୍ରବିରତି ଘୋଷଣାକୁ ନେଇ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ପରିସ୍ଥିତି ବହୁତ ଦ୍ରୁତ ଗତିରେ ବଦଳିଛି, ଏହା ଆଶ୍ଚର୍ଯ୍ୟଜନକ ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ଘୋଷଣା କରିଛନ୍ତି । ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ଆଶ୍ଚର୍ଯ୍ୟ କରିଛି । କାଶ୍ମୀର ପ୍ରସଙ୍ଗ ଅନ୍ତର୍ଜାତୀୟକରଣ କରିବାକୁ ଉଦ୍ୟମ କରୁଛନ୍ତି ଟ୍ରମ୍ପ । ତେଣୁ କଂଗ୍ରେସ ପାର୍ଟି ସ୍ବତନ୍ତ୍ର ସଂସଦ ଅଧିବେଶନ ପାଇଁ ଦାବି କରୁଛି । ଆମେ ୧୯୯୪ର ପ୍ରସ୍ତାବକୁ ପୁଣି ଥରେ ପାରିତ କରିବା ଦରକାର । ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ତେଣୁ ଆମେ ଏହାକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରିବା ଦରକାର ବୋଲି ଦାବି ରଖିଛନ୍ତି ସଚିନ୍ ପାଇଲଟ୍ ।
Comments are closed.