Latest Odisha News

BREAKING NEWS

କଂଗ୍ରେସକୁ ଲାଗିଲା ବଡ଼ ଝଟକା! ଆସାମରେ ପୁଣି ପଦ୍ମ ଫୁଟିବା ନେଇ ସବୁ ଏକଜିଟ୍ ପୋଲର ଆକଳନ

ଗୁଆହାଟୀ: ଆସାମ ବିଧାନସଭା ନିର୍ବାଚନର ଭୋଟଗ୍ରହଣ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ଆସନ୍ତା ମେ’ ୪ ତାରିଖର ଫଳାଫଳ ଉପରେ ରହିଛି। ତେବେ ଫଳାଫଳ ଆସିବା ପୂର୍ବରୁ ସାମ୍ନାକୁ ଆସିଥିବା Exit Poll ବା ବୁଥ୍ ବାହୁଡ଼ା ମତ, ରାଜ୍ୟର ରାଜନୈତିକ ଚିତ୍ରକୁ ଏକପ୍ରକାର ସ୍ପଷ୍ଟ କରିଦେଇଛି। ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, ଆସାମରେ ପୁଣିଥରେ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ସରକାର ଗଠନ କରିବାକୁ ଯାଉଛି।

ଏକଜିଟ୍ ପୋଲ୍‌ର ଆକଳନ କହୁଛି ଯେ, ଶାସକ ବିଜେପି ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଭାରି ବହୁମତ ସହ କ୍ଷମତାକୁ ଫେରିବେ। ଅନ୍ୟପକ୍ଷରେ, ନିଜର ଗୌରବ ଫେରିପାଇବାକୁ ଆଶା ବାନ୍ଧିଥିବା କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟକୁ ବଡ଼ ନିରାଶାର ସାମ୍ନା କରିବାକୁ ପଡ଼ିପାରେ।

କେଉଁ ସର୍ଭେ ସଂସ୍ଥାର କ’ଣ ରହିଛି ଆକଳନ?
ଆକ୍ସିସ୍ ମାଇଁ ଇଣ୍ଡିଆ (Axis My India): ଏହି ସଂସ୍ଥାର ଆକଳନ ଅନୁଯାୟୀ ବିଜେପି-ଏଜିପି-ବିପିଏଫ୍ ମେଣ୍ଟ ୮୮ ରୁ ୧୦୦ଟି ଆସନରେ ବିଜୟୀ ହୋଇପାରେ। ସେହିପରି କଂଗ୍ରେସ ମେଣ୍ଟ କେବଳ ୨୪ ରୁ ୩୬ଟି ଆସନ ମଧ୍ୟରେ ସୀମିତ ରହିବାର ସମ୍ଭାବନା ରହିଛି।

ମ୍ୟାଟ୍ରିଜ୍ (MATRIZE): ଏନଡିଏ ଗଠବନ୍ଧନକୁ ୮୫ ରୁ ୯୫ଟି ସିଟ୍ ମିଳିବ ବୋଲି ଆଶା କରାଯାଉଥିବା ବେଳେ କଂଗ୍ରେସ ଓ ତାର ସହଯୋଗୀଙ୍କୁ ୨୫ ରୁ ୩୨ଟି ସିଟ୍ ଏବଂ ଅନ୍ୟାନ୍ୟ ଦଳକୁ ୬-୧୨ ସିଟ୍ ମିଳିବାର ଅନୁମାନ କରାଯାଇଛି।

ଜେଭିସି (JVC) ଓ ପିପୁଲ୍ସ ଇନସାଇଟ୍ (Peoples Insight): ଉଭୟ ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପି ମେଣ୍ଟକୁ ୮୫-୧୦୧ ଏବଂ ୮୮-୯୬ଟି ଆସନ ମିଳିପାରେ। କଂଗ୍ରେସକୁ ଏଠାରେ ଯଥାକ୍ରମେ ୨୫-୩୩ ଏବଂ ୩୦-୩୪ ସିଟ୍ ମିଳିବ ବୋଲି ଆକଳନ ହୋଇଛି।

VoteVibe ଓ PMARQ: ଭୋଟ୍ ଭାଇବ୍ ସର୍ଭେ ମୁତାବକ ବିଜେପି ମେଣ୍ଟ ୯୯ ରୁ ୧୦୦ ସିଟ୍ ଛୁଇଁପାରେ। ସେହିପରି ପିଏମଏଆରକ୍ୟୁ (PMARQ) ଅନୁସାରେ ବିଜେପି ୮୨-୯୪ ଏବଂ ବିରୋଧୀ ୩୦-୪୦ଟି ଆସନରେ ବିଜୟୀ ହେବେ।

ସୂଚନାଯୋଗ୍ୟ ଯେ, ଆସାମ ବିଧାନସଭାରେ ମୋଟ ୧୨୬ଟି ଆସନ ରହିଥିବା ବେଳେ ସରକାର ଗଠନ ପାଇଁ ୬୪ଟି ଆସନର ଆବଶ୍ୟକତା ରହିଛି। ଗତ ଏପ୍ରିଲ ୯ ତାରିଖରେ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା ଯେଉଁଥିରେ ୮୫.୩୮ ପ୍ରତିଶତ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ଏକୁଟିଆ ୬୦ଟି ଆସନ ଜିତିଥିବା ବେଳେ କଂଗ୍ରେସ ୨୯ ଏବଂ ଏଆଇୟୁଡିଏଫ (AIUDF) କୁ ୧୬ଟି ସିଟ୍ ମିଳିଥିଲା।

ଯଦିଓ ଏହା କେବଳ ଏକ ଏକଜିଟ୍ ପୋଲ୍ ଆକଳନ, କିନ୍ତୁ ଆସନ୍ତା ମେ’ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ପରେ ହିଁ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।

Leave A Reply

Your email address will not be published.