Latest Odisha News

BREAKING NEWS

କେନ୍ଦ୍ରର ଅଧ୍ୟାଦେଶ ନିଷ୍ପତ୍ତି ବିରୋଧରେ ଆମ୍ ଆଦମୀ ପାର୍ଟିକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଶାସିନକ ଅଧିକାରୀ ନିୟନ୍ତ୍ରଣକୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଶେଷରେ ଆମ ଆଦମୀ ପାର୍ଟିକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ବେଙ୍ଗାଲୁରୁରେ ହେବାକୁ ଥିବା ପ୍ରମୁଖ ବିରୋଧୀ ଦଳ ବୈଠକକୁ ବର୍ଜନ କରିବାକୁ ଆପ୍ ଧମକ ଦେବା ପରେ କଂଗ୍ରେସ ଏଭଳି ଏକ ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି।

ଆମ ଆଦମୀ ପାର୍ଟିର ନେତା ରାଘବ ଚଢା ଅଧ୍ୟାଦେଶକୁ କଂଗ୍ରେସର ସମର୍ଥନକୁ ସ୍ୱାଗତ କରିବା ସହ ଏହା ଏକ ସକାରାତ୍ମକ ଘଟଣା ବୋଲି କହିଛନ୍ତି। ଅଧ୍ୟାଦେଶକୁ ଅସାମ୍ବିଧାନିକ ବୋଲି କହୁଥିବା ଦିଲ୍ଲୀ ସରକାର ଆଜି ଅପରାହ୍ନ 4ଟାରେ ପଲିଟିକାଲ ଆଫେୟାର୍ସ କମିଟି (ପିଏସି) ବୈଠକ ଡାକିଥିଲା। ଯେହେତୁ କଂଗ୍ରେସ ଏବେ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରି ଖୋଲାଖୋଲି ଓ ବିଧିବଦ୍ଧ ଭାବେ ଘୋଷଣା କରିଛି, ତେଣୁ ଆମ୍ ଆଦମୀ ପାର୍ଟି ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ବୈଠକରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି।

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଲଢ଼େଇ ପାଇଁ ସମର୍ଥନ ହାସଲ କରିବା ପାଇଁ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଦେଶବ୍ୟାପୀ ଗସ୍ତ କରିଥିଲେ। ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଜନତା ଦଳ ୟୁନାଇଟେଡ୍, ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ୍), ଶରଦ ପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସମେତ ସମସ୍ତ ପ୍ରମୁଖ ବିରୋଧୀ ଦଳ ଅଧ୍ୟାଦେଶ ବିରୋଧରେ ଆପ୍ ଲଢ଼େଇକୁ ସମର୍ଥନ ଜଣାଇଛନ୍ତି।

ଗତ 23 ତାରିଖରେ ପାଟନାରେ ପ୍ରଥମ ବିରୋଧୀ ଦଳ ବୈଠକରେ ଏହି ପ୍ରସଙ୍ଗ ଉଠାଇ ଆପ୍ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲା। ଆଉ ଏପରି ସମାଲୋଚନା ବିରୋଧୀ ମେଣ୍ଟରେ ଫାଟ ଥିବା ନେଇ ସ୍ପଷ୍ଟ ହୋଇଥିଲା।

କଂଗ୍ରେସ ଆପକୁ ସମର୍ଥନ କରିବା ନିଷ୍ପତ୍ତି ପରବର୍ତ୍ତୀ ସମୟରେ ଦଳ ପାଇଁ ଏକ ବଡ଼ ଉତ୍ସାହ ଆଣିବା ସହ 2024 ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଏକ ମିଳିତ ବିରୋଧୀ ସାମ୍ମୁଖ୍ୟ ଗଠନ ପାଇଁ ପଥ ପରିଷ୍କାର କରିପାରେ।

ଉଲ୍ଲେଖଯୋଗ୍ୟ, ପ୍ରଶାସନିକ ଅଧିକାରୀ ଅଦଳ ବଦଳ କ୍ଷମତା କେନ୍ଦ୍ର ପାଖରେ ଥିଲା ଯେହେତୁ ଏହା ଏକ କେନ୍ଦ୍ର ଶାସିତ ଅଞ୍ଚଳ। କିନ୍ତୁ ପରେ ସୁପ୍ରିମକୋର୍ଟରେ ଏହାକୁ ନେଇ ଚ୍ୟାଲେଞ୍ଜ ହେବା ପରେ ଦିଲ୍ଲୀ ସରକାର ହିଁ କ୍ଷମତାକେନ୍ଦ୍ର ହେବେ ବୋଲି ରାୟ ଶୁଣାଇଥିଲେ। ଯାହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ନିଜ ପାଖରେ କ୍ଷମତା ରଖିବାକୁ ଚେଷ୍ଟା କରିଛନ୍ତି।

Leave A Reply

Your email address will not be published.